୨୧ କୋଟିର ଟ୍ରମା କେୟାର ସେଣ୍ଟର ଅଚଳ, ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ
ସମ୍ବଲପୁରରେ ବିକାଶ ନୁହେଁ, ଉଦ୍ଘାଟନରେ ସୀମିତ ସରକାର। ୨୧ କୋଟିର ଟ୍ରମା କେୟାର ସେଣ୍ଟର ଅଚଳ, ଜନସାଧାରଣଙ୍କୁ ଜବାବ ଦିଅନ୍ତୁ ସରକାର ବୋଲି କହିଲେ ପୂର୍ବତନ ମନ୍ତ୍ରୀ ଇଂ ରୋହିତ ପୂଜାରୀ।
ସମ୍ୱଲପୁର: (ଅଜୟ କୁମାର ନାଥ) ସମ୍ବଲପୁରରେ ବିକାଶର ନାଁରେ କେବଳ ଉଦ୍ଘାଟନୀ ଉତ୍ସବ ଓ ପ୍ରଚାର ଚାଲିଛି, କିନ୍ତୁ ଜନସାଧାରଣଙ୍କୁ ଏହାର ପ୍ରକୃତ ସୁଫଳ ମିଳୁନାହିଁ। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିସରରେ ନିର୍ମିତ ଟ୍ରମା କେୟାର ସେଣ୍ଟର। ପ୍ରାୟ ୨୧.୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜାନୁଆରୀ ମାସରେ ଉଦ୍ଘାଟନ କରିଥିଲେ। କିନ୍ତୁ ଉଦ୍ଘାଟନର ଦୀର୍ଘ ମାସ ପରେ ମଧ୍ୟ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏହାକୁ ନେଇ ରାଜ୍ୟ ସରକାରଙ୍କ ନିକଟରେ ଜବାବ ମାଗିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲର ପୂର୍ବତନ ବିଧାୟକ ରୋହିତ ପୂଜାରୀ।
ସେ କହିଛନ୍ତି ଯେ, ଟ୍ରମା କେୟାର ସେଣ୍ଟର କେବଳ ଏକ କୋଠା ନୁହେଁ, ଏହା ହଜାର ହଜାର ଦୁର୍ଘଟଣାଗ୍ରସ୍ତ ଓ ଗୁରୁତର ରୋଗୀଙ୍କ ଜୀବନ ସହ ଜଡ଼ିତ ଏକ ଅତ୍ୟନ୍ତ ଜରୁରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା। ଦୁର୍ଘଟଣା ପରେ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ମିଳିବା ଜୀବନ ରକ୍ଷା ପାଇଁ ଅତ୍ୟନ୍ତ ଆବଶ୍ୟକ। ଯେଉଁ ଉଦ୍ଦେଶ୍ୟରେ ଏତେ ବିପୁଳ ଅର୍ଥ ବ୍ୟୟ କରାଯାଇ ଏହି କେନ୍ଦ୍ର ନିର୍ମାଣ ହୋଇଛି, ତାହା ଯଦି ଲୋକଙ୍କ କାମରେ ଆସୁନାହିଁ, ତେବେ ଏହି ଉଦ୍ଘାଟନର ମୂଲ୍ୟ କ’ଣ?
ଯଦି ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର, ତାଲିମପ୍ରାପ୍ତ କର୍ମଚାରୀ, ଚିକିତ୍ସା ଉପକରଣ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ବ୍ୟବସ୍ଥା ନଥିଲା, ତେବେ କେଉଁ ଆଧାରରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍ଘାଟନ କରିଥିଲେ? ସରକାର କେବଳ ଉଦ୍ଘାଟନୀ ଫଳକ ଲଗାଇ ନିଜ ଦାୟିତ୍ୱ ଶେଷ କରିଦେଇଛନ୍ତି କି? ସମ୍ବଲପୁରବାସୀଙ୍କୁ ଏହାର ସ୍ପଷ୍ଟ ଉତ୍ତର ଦେବା ସହ ଟ୍ରମା କେୟାର ସେଣ୍ଟରକୁ ତୁରନ୍ତ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସହ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ରୋହିତ ପୂଜାରୀ ଦାବି କରିଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରସଙ୍ଗରେ ସରକାରଙ୍କ ନିରବତା ଅତ୍ୟନ୍ତ ଚିନ୍ତାଜନକ। ଅନ୍ୟପଟେ ସମ୍ବଲପୁର ସହରରେ ପରିମଳ ବ୍ୟବସ୍ଥା, ପାନୀୟ ଜଳ, ରାସ୍ତାଘାଟ, ଡ୍ରେନେଜ୍ ଓ ବିଦ୍ୟୁତ୍ ସମସ୍ୟା ମଧ୍ୟ ଜନସାଧାରଣଙ୍କୁ ନିରନ୍ତର ଅସୁବିଧାରେ ପକାଉଛି। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା, ସମ୍ବଲପୁରରେ AIIMS ସ୍ଥାପନ, ମହାନଦୀର ସୁରକ୍ଷା, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଓ ଅଞ୍ଚଳର ସାମଗ୍ରିକ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ଦାବିଗୁଡ଼ିକ ଏବେ ମଧ୍ୟ ଉତ୍ତର ଅପେକ୍ଷାରେ ରହିଛି। ଏହି ପରିସ୍ଥିତିରେ ବିଜେପି ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ନାମରେ ରାଲି ଆୟୋଜନ କରିବାକୁ ନେଇ ରୋହିତ ପୂଜାରୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ବିଜେପି କେବେ ‘ହିନ୍ଦୁ ବିପଦରେ ଅଛନ୍ତି’ ତ କେବେ ‘ସମ୍ବିଧାନ ବିପଦରେ ଅଛି’ ବୋଲି ନାରା ଦେଇ ରାଜନୀତି କରୁଛି। ଏବେ ପୁଣି ‘ଗଣତନ୍ତ୍ର ବଞ୍ଚାଅ’ ନାରା ଦେଉଛି। କିନ୍ତୁ ସମ୍ବଲପୁରର ଟ୍ରମା କେୟାର ସେଣ୍ଟର କାହିଁକି କାର୍ଯ୍ୟକ୍ଷମ ହୋଇନାହିଁ, ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା କେବେ ମିଳିବ, ଯୁବକଙ୍କୁ ନିଯୁକ୍ତି କେବେ ମିଳିବ ଏବଂ ସହରର ମୌଳିକ ସମସ୍ୟା କେବେ ସମାଧାନ ହେବ, ଏହି ପ୍ରଶ୍ନଗୁଡ଼ିକର ଉତ୍ତର କିଏ ଦେବ?
ଜନସାଧାରଣଙ୍କ ଏହି ମୌଳିକ ପ୍ରଶ୍ନଗୁଡ଼ିକରୁ ଦୃଷ୍ଟି ହଟାଇବା ପାଇଁ ଏଭଳି ରାଲି ଓ ନାରାକୁ ବ୍ୟବହାର କରାଯାଉଛି କି ବୋଲି ସନ୍ଦେହ ସୃଷ୍ଟି ହେଉଛି। ଗଣତନ୍ତ୍ରରେ ବିରୋଧୀ ଦଳର କାମ ହେଉଛି ସରକାରଙ୍କୁ ଜନସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ପଚାରିବା ଏବଂ ସରକାରଙ୍କ ଦାୟିତ୍ୱ ହେଉଛି ସେହି ପ୍ରଶ୍ନର ଉତ୍ତର ଦେବା। ଏହାକୁ ଅରାଜକତା ବୋଲି କହିବା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ। ଇଂ ରୋହିତ ପୂଜାରୀ ଆହୁରି କହିଛନ୍ତି ଯେ, ବିଜୁ ଜନତା ଦଳ ସମ୍ବଲପୁର ଓ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ହକ୍, ଅଧିକାର ଓ ସ୍ୱାର୍ଥ ପାଇଁ ସର୍ବଦା ସ୍ୱର ଉତ୍ତୋଳନ କରିଆସିଛି ଏବଂ ଆଗକୁ ମଧ୍ୟ ଏହି ଲଢ଼େଇ ଜାରି ରଖିବ। ସରକାର ମନେ ରଖିବା ଉଚିତ୍ ଯେ, ଉଦ୍ଘାଟନ କରିବା ହିଁ ବିକାଶ ନୁହେଁ, ଲୋକଙ୍କୁ ସେବା ଯୋଗାଇବା ହେଉଛି ପ୍ରକୃତ ବିକାଶ। ୨୧ କୋଟିରୁ ଅଧିକ ଟଙ୍କାର ଟ୍ରମା କେୟାର ସେଣ୍ଟର ଯଦି ଲୋକଙ୍କ ଜୀବନ ରକ୍ଷା କାମରେ ନଆସିବ, ତେବେ ଏହି ଖର୍ଚ୍ଚର ଉଦ୍ଦେଶ୍ୟ କ’ଣ? ସମ୍ବଲପୁର ବାସୀଙ୍କୁ ନାରା ନୁହେଁ, ସ୍ୱାସ୍ଥ୍ୟସେବା ଦରକାର; ଉଦ୍ଘାଟନ ନୁହେଁ, ବିକାଶର ବାସ୍ତବ ଫଳ ଦରକାର। ସରକାର ଏହାର ଜବାବ ଦିଅନ୍ତୁ ବୋଲି ଦାବୀ ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ।
Also Read- ଭାରତୀୟ ମଜଦୂର ସଂଘ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଚେତାବନୀ