ଶିକାର ମାମଲାରେ ଡେବ୍ରିଗଡ଼ ଅଭୟାରଣ୍ୟରୁ ଚାରି ଶିକାରୀ ଗିରଫ
ଏହି ଅଭିଯାନରେ ବରଗଡ଼ ପୋଲିସର ସହଯୋଗ ମଧ୍ୟ ରହିଥିଲା। ବିଶେଷକରି ମୋବାଇଲ୍ ଫୋନ୍ ଟ୍ରାକିଂ ଜରିଆରେ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଠାବ କରିବାରେ ପୋଲିସ ସଫଳ ହୋଇଥିଲା।
ସମ୍ୱଲପୁର: (ଅଜୟ କୁମାର ନାଥ) ଏକ ବଡ ଧରଣର ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ କରିଛି ଡେବ୍ରିଗଡ଼ ବନ ବିଭାଗ। ଡେବ୍ରିଗଡ଼ ଅଭୟାରଣ୍ୟରେ ଫାଶ ଓ ଜନ୍ତା ବସାଇ ବନ୍ୟଜନ୍ତୁ ଶିକାର କରିବାକୁ ଯୋଜନା କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସେମାନଙ୍କଠାରୁ ୫ କିଲୋଗ୍ରାମ ବାଇଣ୍ଡିଂ ତାର, ଫାଶ, କୁରାଢ଼ି, ଗୋଟିଏ ବାଇକ୍ ଓ ୩ଟି ମୋବାଇଲ୍ ଫୋନ୍ ଜବତ ହୋଇଥିବା ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ବନ୍ୟଜନ୍ତୁ ଶିକାର ପାଇଁ ଏକ ଗୋଷ୍ଠୀ ଜଙ୍ଗଲରେ ଫାଶ ଓ ଜନ୍ତା ବସାଇବାକୁ ଯୋଜନା କରୁଥିବା ନେଇ ବନ ବିଭାଗକୁ ନିର୍ଦ୍ଦିଷ୍ଟ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଗତ ନଭେମ୍ବର ୧୫ ତାରିଖରେ ଲଖନପୁର ୱାଇଲ୍ଡଲାଇଫ୍ ରେଞ୍ଜ ଅଧୀନରେ ଥିବା ୪ଟି ଗାଁର ସନ୍ଦିଗ୍ଧ ଘର ଏବଂ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଲୁଚାଇ ରଖାଯାଇଥିବା ଶିକାର ସାମଗ୍ରୀ ଖୋଜିବା ପାଇଁ ମେଟାଲ୍ ଡିଟେକ୍ଟର ମଧ୍ୟ ବ୍ୟବହାର କରାଯାଇଥିଲା।
ଏହି ଅଭିଯାନରେ ବରଗଡ଼ ପୋଲିସର ସହଯୋଗ ମଧ୍ୟ ରହିଥିଲା। ବିଶେଷକରି ମୋବାଇଲ୍ ଫୋନ୍ ଟ୍ରାକିଂ ଜରିଆରେ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଠାବ କରିବାରେ ପୋଲିସ ସଫଳ ହୋଇଥିଲା। ଡେବ୍ରିଗଡ଼ ଅଭୟାରଣ୍ୟ ନିକଟସ୍ଥ ତିଲେଇମାଲ ଗାଁରୁ କିଶୋର ଖମାରୀ (୪୬), ହୀରାଧର ଭୁଏ (୪୨), ଆଶିଷ ଭୁଏ (୨୯) ଏବଂ ଜିତେନ୍ଦ୍ର ଭୁଏ (୨୫)ଙ୍କୁ ଗିରଫ କରାଯାଇଛି। ନଭେମ୍ବର ୧୬ ତାରିଖରେ ସେମାନଙ୍କୁ କୋର୍ଟ ଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ଦିଆଯାଇଛି ।ବନ ବିଭାଗର କହିବା ଅନୁଯାୟୀ, ବାଇଣ୍ଡିଂ ତାରରେ ତିଆରି ଫାଶ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ଯାତାୟାତ ପଥରେ ବସାଯାଏ। ଏଥିରେ ଫସି ଜନ୍ତୁମାନେ ଗୁରୁତର ଆହତ ହେବା ସହ ମୃତ୍ୟୁବରଣ କରିବାର ଆଶଙ୍କା ରହିଥାଏ। ଏପରିକି ତୃଣଭୋଜୀ ଓ ମାଂସାହାରୀ ଉଭୟ ପ୍ରକାରର ଜନ୍ତୁ ଏହି ଫାଶରେ ଫସିପାରନ୍ତି। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ମାନେ ମିଳିତ ଭାବେ ଶିକାର ପାଇଁ ଫାଶ ବସାଇବାକୁ ଯୋଜନା କରିଥିବା ସୂଚନା ଦିଆଯାଇଛି ।
ଅନ୍ୟପଟେ ଅଭୟାରଣ୍ୟର ସୁରକ୍ଷା ପାଇଁ ସୀମାର ପ୍ରାୟ ୪୦ ପ୍ରତିଶତ ଅଞ୍ଚଳରେ ବାଡ଼ ନିର୍ମାଣ କରାଯାଇଛି। ବିଶେଷକରି ଚାଷ ଜମିକୁ ଲାଗି ରହିଥିବା ସମ୍ବେଦନଶୀଳ ଅଞ୍ଚଳରେ ଏହି ବ୍ୟବସ୍ଥା କରାଯାଇଛି।
ଡେବ୍ରିଗଡ଼ ଅଭୟାରଣ୍ୟରେ ୨୫୦ ଜଣ ସୁରକ୍ଷା କର୍ମୀ ଏବଂ ୨୭ଟି ପାଟ୍ରୋଲିଂ ଟିମ୍ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି। ପ୍ରତି ମାସରେ ବନ କର୍ମଚାରୀମାନେ ୬ ହଜାର କିଲୋମିଟରରୁ ଅଧିକ ପାଦରେ ପାଟ୍ରୋଲିଂ କରୁଛନ୍ତି। ଏହାସହ କ୍ୟାମେରା ଟ୍ରାପ୍ ଓ ସ୍ୱତନ୍ତ୍ର ନିରୀକ୍ଷଣ ଟିମ୍ ମାଧ୍ୟମରେ ଜଙ୍ଗଲର ସମ୍ବେଦନଶୀଳ ପ୍ରବେଶ ପଥ ଉପରେ ନଜର ରଖାଯାଉଛି।
ଅଭୟାରଣ୍ୟ ଚାରିପାଖରେ ଥିବା ୬୭ ଟି ଇକୋ ଡେଭଲପମେଣ୍ଟ କମିଟି ମଧ୍ୟ ବନ୍ୟଜନ୍ତୁ ସୁରକ୍ଷା ଓ ଶିକାର ରୋକିବା ଦିଗରେ କାର୍ଯ୍ୟ କରୁଛନ୍ତି।ନିକଟରେ ଡେବ୍ରିଗଡ଼ରେ ଏକ ପୁରୁଷ ରୟାଲ ବେଙ୍ଗଲ ଟାଇଗରର ଉପସ୍ଥିତି ଜଣାପଡ଼ିବା ପରେ ୧୦୦ରୁ ଅଧିକ ପାର୍ଶ୍ୱବର୍ତ୍ତୀ ଗାଁରେ ସଚେତନତା ପୋଷ୍ଟର ଲଗାଯାଇଛି। ବାଘର ଉପସ୍ଥିତିର ପରିବେଶଗତ ଗୁରୁତ୍ୱ, ମଣିଷ ଓ ବନ୍ୟଜନ୍ତୁଙ୍କ ସହାବସ୍ଥାନ ଏବଂ ଶିକାର ସମ୍ପର୍କିତ ସୂଚନା ଦେଲେ ନଗଦ ପୁରସ୍କାର ବିଷୟରେ ମଧ୍ୟ ଲୋକଙ୍କୁ ଅବଗତ କରାଯାଉଛି।
ହୀରାକୁଦ ୱାଇଲ୍ଡଲାଇଫ୍ ଡିଭିଜନର ଡିଏଫ୍ଓ କହିଛନ୍ତି, କେବଳ ଅଭିଯୁକ୍ତଙ୍କୁ ଗିରଫ କରିବା କିମ୍ବା ଅପରାଧ ଘଟିବା ପରେ ପଦକ୍ଷେପ ନେବା ବନ୍ୟଜନ୍ତୁ ସୁରକ୍ଷାର ଏକମାତ୍ର ଲକ୍ଷ ନୁହେଁ। ବରଂ ବନ୍ୟଜନ୍ତୁଙ୍କ କ୍ଷତି ହେବା ପୂର୍ବରୁ ଶିକାର ଭଳି ବିପଦକୁ ରୋକିବା ହିଁ ଆମର ପ୍ରାଥମିକତା। ଜଙ୍ଗଲରେ ବନ୍ୟଜନ୍ତୁ ନିରାପଦରେ ଚଳପ୍ରଚଳ, ଖାଦ୍ୟ ସଂଗ୍ରହ ଓ ବଂଶବୃଦ୍ଧି କରିପାରିବେ, ସେଥିପାଇଁ ସୁରକ୍ଷିତ ପରିବେଶ ତିଆରି କରିବା ଆମର ଲକ୍ଷ୍ୟ। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି ।
Also Read- 8th Odisha Assembly Session: ବିଧାନସଭା ଅଧିବେଶନ ପାଇଁ ଟ୍ରାଫିକରେ ବଡ ପରିବର୍ତ୍ତନ