Student Union Polls: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ଚିତ୍ର। କେଉଁଠି ନିର୍ବାଚନ ବାତିଲ୍କୁ ନେଇ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି, ତ କେଉଁଠି ନାମାଙ୍କନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଅନ୍ୟପଟେ ଉମରକୋଟରେ ଛାତ୍ର ସଂଗଠନ ମଧ୍ୟରେ ବିବାଦ ହିଂସାତ୍ମକ ରୂପ ନେଇଥିବା ସୂଚନା ମିଳିଛି। ଏହାରି ମଧ୍ୟରେ କେନ୍ଦୁଝରରେ ଦୀର୍ଘ ବର୍ଷ ପରେ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ନୟାଗଡ଼: ନିର୍ବାଚନ ବାତିଲ୍କୁ ନେଇ ଧାରଣା:
ନୟାଗଡ଼ ଜିଲ୍ଲାର ଲାଠିପଡ଼ା ମଡେଲ୍ ଡିଗ୍ରୀ କଲେଜରେ ନିର୍ବାଚନ ବାତିଲ୍କୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କଲେଜ ଗେଟ୍ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିର୍ବାଚନ ସମ୍ପର୍କିତ ନିଷ୍ପତ୍ତିକୁ ନେଇ ଏହି ଅସନ୍ତୋଷ ଦେଖାଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଦାବି ଉପରେ କଲେଜ କର୍ତ୍ତୃପକ୍ଷଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।
ଉମରକୋଟ: ନିର୍ବାଚନ ବିବାଦରୁ ଛୁରାମାଡ଼:
ନବରଙ୍ଗପୁର ଜିଲ୍ଲାର ଉମରକୋଟରେ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ ଦୁଇ ଛାତ୍ର ସଂଗଠନ ମଧ୍ୟରେ ବିବାଦ ଗଣ୍ଡଗୋଳର ରୂପ ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ଅଣଛାତ୍ରଙ୍କୁ ଛୁରାମାଡ଼ କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି।
ଉଭୟ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ବିଶାଖାପାଟଣା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଛୁରାମାଡ଼ ଘଟଣାରେ ସମ୍ପୃକ୍ତ ଗୋଷ୍ଠୀର ଅଣଛାତ୍ରମାନଙ୍କୁ ଚିହ୍ନଟ କରିବା ସହ ଖୋଜାଖୋଜି ଜାରି ରଖିଛି ପୋଲିସ। ନିର୍ବାଚନକୁ ନେଇ ଉପୁଜିଥିବା ବିବାଦ ଏବେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ବଢ଼ାଇଛି।
ସମ୍ବଲପୁର: ନାମାଙ୍କନରେ ଅନିୟମିତତା ଅଭିଯୋଗ, କଲେଜରେ ଉତ୍ତେଜନା:
ସମ୍ବଲପୁରର ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି। ନାମାଙ୍କନ ଦାଖଲ ଓ ଯାଞ୍ଚ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ବାତିଲ୍ କରି ପୁନର୍ବାର ନିର୍ବାଚନ କରାଇବାକୁ ସେମାନେ ଦାବି କରିଛନ୍ତି।
ଏହି ଆନ୍ଦୋଳନରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଓ ପୂର୍ବତନ ବିଧାୟକ ରୋହିତ ପୂଜାରୀ ସାମିଲ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ, ଛାତ୍ରଛାତ୍ରୀଙ୍କ ଅନିୟମିତତା ଅଭିଯୋଗକୁ କଲେଜ ଅଧ୍ୟକ୍ଷ ଖଣ୍ଡନ କରିଛନ୍ତି। ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ, ମୋଟ ୪୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୯ ଜଣଙ୍କ ନାମ ସ୍କ୍ରୁଟିନି ବା ଯାଞ୍ଚ ପ୍ରକ୍ରିୟାରେ କଟିଥିବା ବେଳେ ୫ ଜଣଙ୍କ ପ୍ରାର୍ଥିତ୍ୱ କାଏମ ରହିଛି। ଏହାକୁ ନେଇ କଲେଜ ପରିସରରେ ଅସନ୍ତୋଷ ଜାରି ରହିଛି।
କେନ୍ଦୁଝର: ନାମାଙ୍କନ ଶୋଭାଯାତ୍ରାରେ ଉତ୍ସବମୁଖର କଲେଜ ପରିସର:
ଅନ୍ୟପଟେ କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଓ ସରକାରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷର ବ୍ୟବଧାନ ପରେ ନିର୍ବାଚନ ହେଉଥିବାରୁ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି।
ବିଭିନ୍ନ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ସମର୍ଥକଙ୍କ ସହ ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବାଜା, ନାଚଗୀତ ଓ ଶୋଭାଯାତ୍ରା ସହ କଲେଜରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ କଲେଜ ପରିସର ଉତ୍ସବମୁଖର ହୋଇଉଠିଛି।
ରାଜ୍ୟର ଗୋଟିଏ ପଟେ ନିର୍ବାଚନକୁ ନେଇ ଧାରଣା ଓ ଅଭିଯୋଗ ଜାରି ରହିଥିବା ବେଳେ ଅନ୍ୟପଟେ କେନ୍ଦୁଝରରେ ନାମାଙ୍କନକୁ ନେଇ ଦେଖାଦେଇଛି ଉତ୍ସାହ। ଏବେ ନିର୍ବାଚନ ପ୍ରକ୍ରିୟା କେତେ ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ଆଗକୁ ବଢ଼ୁଛି, ତାହା ଉପରେ ଛାତ୍ରଛାତ୍ରୀଙ୍କ ସହ ସମସ୍ତଙ୍କ ନଜର ରହିଛି।