ସମ୍ବଲପୁର: (ଅଜୟ କୁମାର ନାଥ) ଜଳ, ପରିମଳ ଓ ସ୍ୱଚ୍ଛତା (WASH) କାର୍ଯ୍ୟକ୍ରମର ସଫଳ ରୂପାୟନ ତଥା ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଆଜି ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ୍)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲା ଗସ୍ତ କରିଛନ୍ତି। ଏହି ପ୍ରତିନିଧି ଦଳରେ ୟୁନିସେଫ୍ର ବରିଷ୍ଠ ଅଧିକାରୀ ଶ୍ରୀ ପ୍ରଶାନ୍ତ ଦାଶ, ଶିପ୍ରା ସକ୍ସେନା, ଯୋଗେନ୍ଦ୍ର କୁମାର ଏବଂ ଜ୍ୟୋତିର୍ମୟ ପ୍ରମୁଖ ସାମିଲ ଥିଲେ।
ଏହି ଗସ୍ତ ସମୟରେ ଟିମ୍ ସ୍ଥାନୀୟ ଗ୍ରାମାଞ୍ଚଳକୁ ଯାଇ ଜନସାଧାରଣ, ଗୋଷ୍ଠୀ ସଦସ୍ୟ, କମ୍ୟୁନିଟି ସପୋର୍ଟ ଷ୍ଟାଫ୍ (CSS) ଏବଂ କାର୍ଯ୍ୟନିର୍ବାହୀ କମିଟି (EC) ସଦସ୍ୟମାନଙ୍କ ସହ ସିଧାସଳଖ ଭାବପ୍ରଦାନ କରିଥିଲେ। ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥାର ଉନ୍ନତିକରଣ ଏବଂ ସ୍ୱଚ୍ଛତା ଅଭ୍ୟାସ ସମ୍ପର୍କରେ ଲୋକଙ୍କ ସହ ବିସ୍ତୃତ ଆଲୋଚନା କରାଯାଇ ସେମାନଙ୍କ ମତାମତ ସଂଗ୍ରହ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ ଡିସିସି-ୱାଶ୍ (DCC WASH), ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ (DPM OLM) ଏବଂ ଜିଲ୍ଲା ପରିଷଦର ଜିଲ୍ଲା ପରିମଳ ବିଶେଷଜ୍ଞ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକଳାପର ସମନ୍ୱୟ ରକ୍ଷା କରିଥିଲେ।