John Campbel: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍ର ବାମହାତୀ ଓପନର ଜନ୍ କ୍ୟାମ୍ପବେଲ ଧୂଆଁଧାର ଶତକ ହାସଲ କରି ଇତିହାସ ରଚିଛନ୍ତି। ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତୀୟ ବୋଲରଙ୍କ ବିରୋଧରେ ଆକ୍ରମଣାତ୍ମକ ବ୍ୟାଟିଂ କରି ସେ ମାତ୍ର ୬୫ ବଲ୍ରେ ଶତକ ପୂରଣ କରିଛନ୍ତି।
ଏହି ଶତକ ସହିତ କ୍ୟାମ୍ପବେଲ ଭାରତ ବିପକ୍ଷରେ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସବୁଠୁ ଦ୍ରୁତ ଶତକ ହାସଲ କରିଥିବା ବ୍ୟାଟର ହୋଇଛନ୍ତି। ସେ ପୂର୍ବତନ ୱେଷ୍ଟଇଣ୍ଡିଜ୍ ବ୍ୟାଟର ରିକାର୍ଡୋ ପାୱେଲଙ୍କ ୨୭ ବର୍ଷ ପୁରୁଣା ରେକର୍ଡକୁ ପଛରେ ପକାଇଛନ୍ତି। ପାୱେଲ ୧୯୯୯ରେ ଭାରତ ବିପକ୍ଷରେ ୭୨ ବଲ୍ରେ ଶତକ ହାସଲ କରିଥିଲେ।
କ୍ୟାମ୍ପବେଲ ୬୮ ବଲ୍ରେ ୧୦୧ ରନ୍ କରିଥିବା ବେଳେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୧୪୮.୫୩। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପୂର୍ବ ମ୍ୟାଚ୍ରେ ଶତକ ହାସଲ କରିଥିବା ଜଷ୍ଟିନ୍ ଗ୍ରିଭ୍ସ ଆହତ ହୋଇ ଏହି ମ୍ୟାଚ୍ରୁ ବାଦ ପଡ଼ିଥିବା ବେଳେ କ୍ୟାମ୍ପବେଲ ତାଙ୍କ ଅନୁପସ୍ଥିତିକୁ ଅନୁଭବ ହେବାକୁ ଦେଇନାହାନ୍ତି।
ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ର ଦ୍ରୁତତମ ODI ଶତକ
୬୫ ବଲ୍ – ଜନ୍ କ୍ୟାମ୍ପବେଲ, ଗୁଆହାଟୀ, ୨୦୨୬
୭୨ ବଲ୍ – ରିକାର୍ଡୋ ପାୱେଲ, ସିଙ୍ଗାପୁର, ୧୯୯୯
୭୩ ବଲ୍ – ମାର୍ଲନ୍ ସାମୁଏଲ୍ସ, ବିଜୟୱାଡା, ୨୦୦୨
୭୪ ବଲ୍ – ଶିମରନ୍ ହେଟମାୟର, ଗୁଆହାଟୀ, ୨୦୧୮
୮୫ ବଲ୍ – ଶିମରନ୍ ହେଟମାୟର, ଚେନ୍ନାଇ, ୨୦୧୯
ୱେଷ୍ଟଇଣ୍ଡିଜ୍ ପାଇଁ ଦିନିକିଆରେ ଦ୍ରୁତତମ ଶତକ ହାସଲ କରିଥିବା ବ୍ୟାଟରଙ୍କ ତାଲିକାରେ ମଧ୍ୟ କ୍ୟାମ୍ପବେଲ ଟପ୍-୫ରେ ପ୍ରବେଶ କରିଛନ୍ତି। ଏହି ତାଲିକାରେ ରେକର୍ଡ ଏବେବି ମହାନ ବ୍ୟାଟର ବ୍ରାୟନ୍ ଲାରାଙ୍କ ନାମରେ ରହିଛି। ଲାରା ୧୯୯୯ରେ ବାଂଲାଦେଶ ବିପକ୍ଷରେ ମାତ୍ର ୪୫ ବଲ୍ରେ ଶତକ ହାସଲ କରିଥିଲେ।
ପ୍ରଥମ ଓ ଦ୍ୱିତୀୟ ODI ଶତକ ମଧ୍ୟରେ ୭ ବର୍ଷର ଅପେକ୍ଷା:
ଜନ୍ କ୍ୟାମ୍ପବେଲ ନିଜ ODI କ୍ୟାରିୟରର ପ୍ରଥମ ଶତକ ୨୦୧୯ରେ ହାସଲ କରିଥିଲେ। ଏହାପରେ ଦ୍ୱିତୀୟ ଶତକ ପାଇଁ ତାଙ୍କୁ ପ୍ରାୟ ୭ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି। ପ୍ରଥମ ଓ ଦ୍ୱିତୀୟ ODI ଶତକ ମଧ୍ୟରେ ସବୁଠୁ ଦୀର୍ଘ ବ୍ୟବଧାନ ଥିବା ଖେଳାଳିଙ୍କ ତାଲିକାରେ କ୍ୟାମ୍ପବେଲ ୨୭୦୫ ଦିନର ବ୍ୟବଧାନ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।