Sunelita Toppo: ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଗର୍ବର ବିଷୟ। ଭାରତୀୟ ହକିର ଉଦୀୟମାନ ଖେଳାଳି ସୁନେଲିତା ଟପ୍ପୋଙ୍କୁ ୨୦୨୬ ବର୍ଷ ପାଇଁ ମର୍ଯ୍ୟାଦାଜନକ ୩୪ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ। ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ହକି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି।
ଭୁବନେଶ୍ୱରରେ ଅନୁଷ୍ଠିତ ଏକଲବ୍ୟ ପୁରସ୍କାର କମିଟିର ବୈଠକରେ ସର୍ବସମ୍ମତିକ୍ରମେ ସୁନେଲିତାଙ୍କ ନାମ ଚୟନ କରାଯାଇଛି। ଏହି ପୁରସ୍କାର ସହ ତାଙ୍କୁ ୭ ଲକ୍ଷ ଟଙ୍କାର ନଗଦ ରାଶି ଏବଂ ଟ୍ରଫି ପ୍ରଦାନ କରାଯିବ। ଆଗାମୀ ପୁରସ୍କାର ସମାରୋହରେ ତାଙ୍କୁ ଔପଚାରିକ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ।
Was on the jury for the 34th Ekalabya Puraskar 2026, Odisha’s prestigious non-governmental sports honour, instituted by IMPaCT Trust. Heartiest congratulations to hockey player Sunelita Toppo on being selected for the Award in recognition of her outstanding achievements and dedication to the sport. Congratulations also to hockey player Amandeep Lakra and badminton player Tanvi
— Baijayant Jay Panda (@PandaJay) November 1, 2026
ସେହିପରି ହକି ଖେଳାଳି ଅମନଦୀପ ଲାକ୍ରା ଏବଂ ବ୍ୟାଡମିଣ୍ଟନ ଖେଳାଳି ତନ୍ୱୀ ପାତ୍ରୀଙ୍କୁ ପ୍ରଶଂସାପତ୍ର ସହ ପୁରସ୍କାର ପାଇଁ ଚୟନ କରାଯାଇଛି। ଉଭୟଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ନଗଦ ରାଶି ଏବଂ ପ୍ରଶଂସାପତ୍ର ପ୍ରଦାନ କରାଯିବ।
୧୯୯୩ ମସିହାରେ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ (IMPaCT) ପକ୍ଷରୁ ଏକଲବ୍ୟ ପୁରସ୍କାର ଆରମ୍ଭ କରାଯାଇଥିଲା। IMFAର ଏହି ଚାରିଟେବଲ୍ ସଂସ୍ଥା ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ଯୁବ କ୍ରୀଡ଼ାବିତ୍ମାନଙ୍କୁ ସେମାନଙ୍କର ପୂର୍ବ ଦୁଇ ବର୍ଷର ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ ଆଧାରରେ ଏହି ସମ୍ମାନ ପ୍ରଦାନ କରାଯାଏ। ଏହା ଓଡ଼ିଶାର ସର୍ବୋଚ୍ଚ ଯୁବ କ୍ରୀଡ଼ା ସମ୍ମାନ ଭାବେ ପରିଚିତ।
ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରି କମିଟିର ଅଧ୍ୟକ୍ଷ ତଥା IMPaCTର ଟ୍ରଷ୍ଟି ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରରେ ଅପାର ପ୍ରତିଭା ରହିଛି। ଦୀର୍ଘ ତିନି ଦଶନ୍ଧି ଧରି ଏକଲବ୍ୟ ପୁରସ୍କାର ଏହି ପ୍ରତିଭାମାନଙ୍କୁ ଚିହ୍ନଟ କରିବା ସହ ଯୁବ କ୍ରୀଡ଼ାବିତ୍ଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିବାକୁ ପ୍ରେରଣା ଯୋଗାଇ ଆସୁଛି।