MS Dhoni: ଆଉ ହଳଦିଆ ଜର୍ସିରେ ଖେଳିବେନି ଧୋନି, ଶେଷ ହେଲା ୧୮ ବର୍ଷର IPL ଯାତ୍ରା!
୨୦୨୬ IPL ସିଜିନ୍ ଧୋନିଙ୍କ ଖେଳାଳି ଜୀବନର ଶେଷ ସିଜିନ୍ ହୋଇଥିଲା। ତେବେ ଫିଟନେସ୍ ସମସ୍ୟା ଯୋଗୁଁ ସେ ଗୋଟିଏ ବି ମ୍ୟାଚ୍ ଖେଳିପାରି ନଥିଲେ। ଏବେ ୪୫ ବର୍ଷ ବୟସରେ ସେ ଖେଳାଳି ଭାବେ IPLରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି।
MS Dhoni: କ୍ରିକେଟ୍ ଜଗତର ଏକ ସ୍ମରଣୀୟ ଯୁଗର ଅନ୍ତ ଘଟିଛି। ଆଉ IPLରେ ହଳଦିଆ ଜର୍ସି ପିନ୍ଧି ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇବେ ନାହିଁ ମହେନ୍ଦ୍ର ସିଂ ଧୋନି। ଚେନ୍ନାଇ ସୁପର କିଙ୍ଗ୍ସ (CSK)କୁ ଏକ ଶକ୍ତିଶାଳୀ ଓ ସଫଳ ଦଳ ଭାବେ ଗଢ଼ି ତୋଳିଥିବା ଧୋନି ନିଜର IPL ଖେଳାଳି ଜୀବନକୁ ବିଦାୟ ଜଣାଇଛନ୍ତି। ଆସନ୍ତା ୨୦୨୭ IPL ସିଜିନ୍ରୁ ସେ ଖେଳାଳି ବଦଳରେ ଦଳର ମେଣ୍ଟର ଭାବେ ନୂଆ ଦାୟିତ୍ୱ ତୁଲାଇବେ।
ରିଟେନସନ୍ ଡେଡଲାଇନ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଏହି ବଡ଼ ଘୋଷଣା କରାଯାଇଛି। ଧୋନି ଖେଳାଳି ଭାବେ IPLରୁ ଅବସର ନେବା ନେଇ କିଛି ମାସ ପୂର୍ବରୁ ସଙ୍କେତ ଦେଇଥିଲେ। CSK ମାଲିକ ରୂପା ଗୁରୁନାଥଙ୍କ ସୂଚନା ଅନୁସାରେ, ଖେଳାଳି ରିଟେନସନ୍କୁ ନେଇ ଆଲୋଚନା ସମୟରେ ଧୋନି ନିଜକୁ ଦଳରୁ ରିଲିଜ୍ କରିବାକୁ କହିଥିଲେ। ଗତ IPL ସିଜିନ୍ରେ ଆଣ୍ଠୁଜନିତ ସମସ୍ୟା ଯୋଗୁଁ ତାଙ୍କ ଖେଳିବା ସମୟ ମଧ୍ୟ ସୀମିତ ରହିଥିଲା।
୨୦୦୮ରେ IPL ଆରମ୍ଭ ହେବା ଦିନଠାରୁ ଧୋନି ଚେନ୍ନାଇ ଦଳର ପରିଚୟ ପାଲଟିଥିଲେ। ତାଙ୍କ ନେତୃତ୍ୱ, ଶାନ୍ତ ସ୍ୱଭାବ ଓ ମ୍ୟାଚ୍କୁ ଶେଷ ପର୍ଯ୍ୟନ୍ତ ନେବାର କ୍ଷମତା CSKକୁ ଏକ ଭିନ୍ନ ପରିଚୟ ଦେଇଛି। ଚେପକ୍ ଷ୍ଟାଡିୟମରେ ଧୋନିଙ୍କ ପ୍ରତି ଦର୍ଶକଙ୍କ ଭଲପାଇବା ମଧ୍ୟ IPLର ଏକ ଅବିସ୍ମରଣୀୟ ଦୃଶ୍ୟ ହୋଇ ରହିଛି।
CSK ମାଲିକ ଏନ୍. ଶ୍ରୀନିବାସନ୍ କହିଛନ୍ତି, ଧୋନିଙ୍କ ବିନା CSKର କଳ୍ପନା କରିବା ଅସମ୍ଭବ। ପ୍ରାୟ ଦୁଇ ଦଶନ୍ଧି ଧରି ଦଳ ତାଙ୍କ ସହିତ ଅନେକ ସଫଳତା ଓ ବିଫଳତାର ସାମ୍ନା କରିଛି। ୨୦୦୮ରେ ଧୋନିଙ୍କୁ CSKରେ ସାମିଲ କରିବା ତାଙ୍କର ସବୁଠାରୁ ଭଲ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି।
ଧୋନିଙ୍କ ନେତୃତ୍ୱରେ CSK ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ମୋଟ ୫ ଥର IPL ଟ୍ରଫି ଜିତିଛି। ଏହା ସହିତ ୨୦୧୦ ଓ ୨୦୧୪ରେ ଦଳ ଦୁଇଥର ଚାମ୍ପିଅନ୍ସ ଲିଗ୍ T20 ଟାଇଟଲ୍ ମଧ୍ୟ ହାସଲ କରିଛି। ଧୋନିଙ୍କ ନେତୃତ୍ୱରେ CSK ମୋଟ ୧୦ ଥର IPL ଫାଇନାଲ୍ରେ ପହଞ୍ଚିଥିଲା।
୨୦୧୬ ଓ ୨୦୧୭ରେ CSK ଉପରେ ଦୁଇ ବର୍ଷର ବାସନ୍ଦାଦେଶ ଲାଗିଥିବା ସମୟରେ ଧୋନି ରାଇଜିଂ ପୁଣେ ସୁପରଜାଏଣ୍ଟ ପକ୍ଷରୁ ଖେଳିଥିଲେ। ୨୦୧୮ରେ CSKକୁ ଫେରିବା ପରେ ପ୍ରଥମ ସିଜିନ୍ରେ ହିଁ ଦଳକୁ ଚାମ୍ପିଅନ୍ କରାଇଥିଲେ। ୨୦୨୩ରେ ଗୁଜରାଟ ଟାଇଟନ୍ସକୁ ହରାଇ ପଞ୍ଚମ IPL ଟ୍ରଫି ଜିତିଥିଲା CSK। ଫାଇନାଲ୍ର ଶେଷ ବଲ୍ରେ ରବୀନ୍ଦ୍ର ଜାଡେଜାଙ୍କ ଚୌକା ଓ ଛକା ପରେ ଧୋନିଙ୍କ ଉତ୍ସବ ପାଳନ କ୍ରିକେଟ୍ ପ୍ରେମୀଙ୍କ ମନରେ ଆଜି ବି ତାଜା ରହିଛି।
ଧୋନିଙ୍କ IPL କ୍ୟାରିୟରର ଶେଷ କିଛି ବର୍ଷରେ ତାଙ୍କ ବ୍ୟାଟିଂ ଭୂମିକାରେ ମଧ୍ୟ ପରିବର୍ତ୍ତନ ଆସିଥିଲା। ୨୦୨୩ରେ ୧୦୪ ରନ୍ କରିଥିବା ବେଳେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୮୨ରୁ ଅଧିକ ଥିଲା। ୨୦୨୪ରେ ୧୧ଟି ଇନିଂସ୍ରେ ୧୬୧ ରନ୍ କରିବା ସହ ୨୨୦.୫୪ ଷ୍ଟ୍ରାଇକ୍ ରେଟ୍ ହାସଲ କରିଥିଲେ। ୨୦୨୫ରେ ଦଳର ଖରାପ ପ୍ରଦର୍ଶନ ସତ୍ତ୍ୱେ ୧୪ଟି ମ୍ୟାଚ୍ରେ ୧୯୬ ରନ୍ କରିଥିଲେ।
୨୦୨୬ IPL ସିଜିନ୍ ଧୋନିଙ୍କ ଖେଳାଳି ଜୀବନର ଶେଷ ସିଜିନ୍ ହୋଇଥିଲା। ତେବେ ଫିଟନେସ୍ ସମସ୍ୟା ଯୋଗୁଁ ସେ ଗୋଟିଏ ବି ମ୍ୟାଚ୍ ଖେଳିପାରି ନଥିଲେ। ଏବେ ୪୫ ବର୍ଷ ବୟସରେ ସେ ଖେଳାଳି ଭାବେ IPLରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି।
ନିଜର IPL କ୍ୟାରିୟରରେ ଧୋନି ୨୭୮ଟି ମ୍ୟାଚ୍ ଖେଳି ମୋଟ ୫,୪୩୯ ରନ୍ ସଂଗ୍ରହ କରିଛନ୍ତି। ୩୮.୩୦ ହାରାହାରି ଓ ୧୩୭.୪୫ ଷ୍ଟ୍ରାଇକ୍ ରେଟ୍ ସହ ତାଙ୍କ ନାମରେ ୨୪ଟି ଅର୍ଦ୍ଧଶତକ, ୨୬୪ଟି ଛକା ଓ ୩୭୫ଟି ଚୌକା ରହିଛି।
ତେବେ ଧୋନିଙ୍କ ପରିଚୟ କେବଳ ତାଙ୍କ ବ୍ୟାଟିଂ ରେକର୍ଡ ମଧ୍ୟରେ ସୀମିତ ନୁହେଁ। ୱିକେଟ୍ ପଛରେ ତାଙ୍କର ବିଜୁଳି ବେଗର ଷ୍ଟମ୍ପିଂ, ଖେଳର ପରିସ୍ଥିତିକୁ ଠିକ୍ ଭାବେ ବୁଝିବା, ରଣନୀତିକ ନିଷ୍ପତ୍ତି ଓ ଚାପରେ ମଧ୍ୟ ଶାନ୍ତ ରହିବାର ଗୁଣ ତାଙ୍କୁ ଜଣେ ଅସାଧାରଣ ଅଧିନାୟକ ଭାବେ ପରିଚିତ କରାଇଛି।
ଏବେ ଧୋନିଙ୍କ ହାତରେ ବ୍ୟାଟ୍ ବଦଳରେ ରହିବ ନୂଆ ଦାୟିତ୍ୱ। ୨୦୨୭ରୁ ମେଣ୍ଟର ଭାବେ ସେ CSKର ଯୁବ ଖେଳାଳିଙ୍କୁ ମାର୍ଗଦର୍ଶନ ଦେବେ। ଖେଳାଳି ଭାବେ ତାଙ୍କ ଯାତ୍ରା ଶେଷ ହୋଇଥିଲେ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ସହ ତାଙ୍କ ସମ୍ପର୍କ ଆଗକୁ ମଧ୍ୟ ଜାରି ରହିବ। କ୍ରିକେଟ୍ ପଡ଼ିଆରେ ମାହିଙ୍କ ହେଲିକପ୍ଟର ସଟ୍ ଆଉ ଦେଖିବାକୁ ମିଳିବନି, କିନ୍ତୁ CSKର ସଫଳତା ପଛରେ ତାଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ।