New Mobile Rules: ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆସୁଛି ଏକ ନୂଆ ସୁବିଧା। ଏଣିକି ଅଜଣା ନମ୍ବରରୁ ଫୋନ୍ ଆସିଲେ ଆଉ କଲ୍ କିଏ କରୁଛନ୍ତି ଜାଣିବା ପାଇଁ ଚିନ୍ତା କରିବାକୁ ପଡ଼ିବନି। ନଭେମ୍ବର ୧ ତାରିଖରୁ ମୋବାଇଲ୍ରେ ଲାଗୁ ହେବାକୁ ଯାଉଛି ନୂଆ କଲର ନେମ୍ ପ୍ରେଜେଣ୍ଟେସନ୍ (CNAP) ସେବା। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଅଜଣା ନମ୍ବରରୁ କଲ୍ ଆସିଲେ ମଧ୍ୟ ମୋବାଇଲ୍ ସ୍କ୍ରିନ୍ରେ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ଦେଖାଯିବ।
ଏନେଇ ଦୂରସଂଚାର ବିଭାଗ (DoT) ପକ୍ଷରୁ ସମସ୍ତ ଟେଲିକମ୍ କମ୍ପାନୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଫେକ୍ କଲ୍, ସାଇବର ଠକେଇ ଏବଂ ଅଜଣା ନମ୍ବରରୁ ହେଉଥିବା ଠକାମି ରୋକିବା ଏହି ନୂଆ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ।
କ'ଣ ଏହି CNAP ସେବା?
CNAP ଅର୍ଥାତ୍ Caller Name Presentation। ଏହା ଏକ ଭେରିଫାଏଡ୍ କଲର ଚିହ୍ନଟ ବ୍ୟବସ୍ଥା। ବର୍ତ୍ତମାନ ଆପଣଙ୍କ ମୋବାଇଲ୍ରେ ଯଦି କୌଣସି ଅଜଣା ନମ୍ବରରୁ କଲ୍ ଆସେ, ତେବେ କେବଳ ଫୋନ୍ ନମ୍ବର ହିଁ ଦେଖାଯାଏ। କିନ୍ତୁ CNAP ସେବା ଆରମ୍ଭ ହେବା ପରେ ନମ୍ବର ସହିତ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଦେଖାଯିବ।
ଏହି ନାମ ଟେଲିକମ୍ କମ୍ପାନୀ ପାଖରେ ସିମ୍ କାର୍ଡ ଜାରି କରିବା ସମୟରେ ପଞ୍ଜୀକୃତ ହୋଇଥିବା ତଥ୍ୟ ଅନୁସାରେ ଦେଖାଯିବ। ଅର୍ଥାତ୍ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ନମ୍ବରଟି ସେଭ୍ ନଥିଲେ ମଧ୍ୟ କଲରଙ୍କ ନାମ ଜାଣିପାରିବେ।
କେଉଁ ମୋବାଇଲ୍ ବ୍ୟବହାରକାରୀ ପାଇବେ ଏହି ସୁବିଧା?
ଦୂରସଂଚାର ବିଭାଗର ନିର୍ଦ୍ଦେଶ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୪G କିମ୍ବା ଏହାଠାରୁ ଉନ୍ନତ ଟେଲିକମ୍ ନେଟୱର୍କ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ। ତେବେ ୨G ଓ ୩G ନେଟୱର୍କ ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା କେବେ ଆରମ୍ଭ ହେବ, ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ।
ବିଦେଶୀ କଲ୍ ଆସିଲେ ବି ଜାଣିହେବ ପରିଚୟ:
ଏହି ନୂଆ ବ୍ୟବସ୍ଥାରେ ଅନ୍ତର୍ଜାତୀୟ କଲ୍କୁ ମଧ୍ୟ ଚିହ୍ନଟ କରିବାର ସୁବିଧା ରହିବ। ବିଦେଶରୁ କୌଣସି ନମ୍ବରରୁ କଲ୍ ଆସିଲେ ମୋବାଇଲ୍ ସ୍କ୍ରିନ୍ରେ ନମ୍ବର ସହିତ ଇଣ୍ଟରନ୍ୟାସନାଲ୍ କଲ୍ ବୋଲି ଦେଖାଯିବ। ଏଥିପାଇଁ ସମସ୍ତ ଟେଲିକମ୍ କମ୍ପାନୀଙ୍କୁ ଆବଶ୍ୟକ ଡାଟାବେସ୍ ପ୍ରସ୍ତୁତ କରିବାକୁ ପଡ଼ିବ।
ସାଇବର ଠକେଇ ଉପରେ ଲାଗିବ ରୋକ୍!
ବର୍ତ୍ତମାନ ସମୟରେ ଅଜଣା ନମ୍ବରରୁ କଲ୍ କରି ଅନେକ ଠକ ନିଜକୁ ବ୍ୟାଙ୍କ ଅଧିକାରୀ, ସରକାରୀ କର୍ମଚାରୀ କିମ୍ବା ବିଭିନ୍ନ କମ୍ପାନୀର ପ୍ରତିନିଧି କହି ଲୋକଙ୍କୁ ଠକୁଛନ୍ତି। ଏପରି ସ୍ଥିତିରେ CNAP ସେବା ଦ୍ୱାରା କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ସହଜ ହେବ। ଫଳରେ ଫେକ୍ କଲ୍ ଏବଂ ସାଇବର ଠକେଇ ଉପରେ ଅଙ୍କୁଶ ଲଗାଇବାରେ ଏହା ସହାୟକ ହୋଇପାରେ।
ତେବେ ମନେ ରଖନ୍ତୁ, କେବଳ ମୋବାଇଲ୍ରେ ନାମ ଦେଖାଯିବା ଅର୍ଥ କଲ୍ଟି ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ନୁହେଁ। ତେଣୁ ଅଜଣା କଲ୍ରେ କାହାକୁ ମଧ୍ୟ ନିଜର ବ୍ୟାଙ୍କ ତଥ୍ୟ, OTP କିମ୍ବା ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ।