ବିକ୍ରୟ ଚୁକ୍ତି ପୂର୍ବରୁ ଅପ୍ରତ୍ୟାଶିତ ମୋଡ଼.. ୨,୧୨୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ହ୍ରାସ କଲା IDBI ବ୍ୟାଙ୍କ..!
IDBI Bank Sale: ଆଇଡିବିଆଇ (IDBI) ବ୍ୟାଙ୍କ ବିକ୍ରୟକୁ ନେଇ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ବ୍ୟାଙ୍କ ଏହାର ଦୁଇଟି ସ୍ଥାବର ସମ୍ପତ୍ତିର ମୂଲ୍ୟକୁ ୨,୧୨୨ କୋଟି ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି । ତେବେ ବ୍ୟାଙ୍କ ଏହାର ବାର୍ଷିକ ରିପୋର୍ଟରେ ଏହି ସମ୍ପତ୍ତିଗୁଡ଼ିକର ନାମ ପ୍ରକାଶ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେବଳ ସେତିକି ନୁହେଁ, ମୂଲ୍ୟ ହ୍ରାସ କରିବାର କାରଣ ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ ।
IDBI Bank Sale: କେନ୍ଦ୍ର ସରକାରଙ୍କ ଦ୍ୱାରା ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ହାତକୁ ନିଆଯାଇଥିବା ଆଇଡିବିଆଇ ବ୍ୟାଙ୍କ ଘରୋଇକରଣ ପ୍ରକ୍ରିୟା ପୁଣି ଥରେ ବିବାଦ ଘେରକୁ ଆସିଛି । କେନିୟାର ପ୍ରମୁଖ ସଂସ୍ଥା 'ଫେୟାରଫାକ୍ସ'କୁ ଏହି ବ୍ୟାଙ୍କର ଅଂଶଧନ ବିକ୍ରୟ କରିବା ପାଇଁ ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସବୁଜ ସଙ୍କେତ ଦେଇଥିବା କଥା ଜଣାପଡ଼ିଛି । ତେବେ ଏହି ବିକ୍ରୟ ପ୍ରକ୍ରିୟା ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ସମୟରେ ବ୍ୟାଙ୍କ ନିଜ ସ୍ଥାବର ସମ୍ପତ୍ତିର ମୂଲ୍ୟକୁ ବହୁ ପରିମାଣରେ ହ୍ରାସ କରିବା ଅନେକ ସନ୍ଦେହ ସୃଷ୍ଟି କରିଛି । 'ବିଜନେସ ୱାର୍ଲ୍ଡ'ର ସାମ୍ବାଦିକ ପଲକ ଶାହଙ୍କ ରିପୋର୍ଟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ଆଇଡିବିଆଇ ବ୍ୟାଙ୍କ ନିଜ ପାଖରେ ଥିବା ୨ଟି ପ୍ରମୁଖ ସମ୍ପତ୍ତିର ମୂଲ୍ୟ ସିଧାସଳଖ ୨,୧୨୨ କୋଟି ଟଙ୍କା କମାଇ ଦେଇଛି ।
ତେବେ ଏହି ବଡ଼ ଧରଣର ମୂଲ୍ୟ ହ୍ରାସ ସମ୍ପର୍କିତ ବିଷୟକୁ ବ୍ୟାଙ୍କ ନିଜ ବାର୍ଷିକ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ କରିନାହିଁ । ଏହାକୁ କେବଳ ଗୋଟିଏ ବାକ୍ୟରେ ସୀମିତ ରଖିଛି । ଏଥିସହ ସେହି ଦୁଇଟି ସମ୍ପତ୍ତିର ନାମ କ’ଣ, ତାହା ମଧ୍ୟ ଦର୍ଶାଯାଇ ନାହିଁ । ସେଗୁଡ଼ିକର ମୂଲ୍ୟରେ ଏତେ ବଡ଼ ପାର୍ଥକ୍ୟ ଆସିବା ପଛର ପ୍ରକୃତ କାରଣ କ’ଣ, ସେ ବିଷୟରେ ବ୍ୟାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । କିଛି ଆଇନଗତ କଟକଣା ଯୋଗୁଁ ସେହି ସମ୍ପତ୍ତିଗୁଡ଼ିକୁ ପୂର୍ବଭଳି ସହଜରେ ବିକ୍ରୟ କରିବାର ସୁଯୋଗ ନଥିବାରୁ ସେଗୁଡ଼ିକର ମୂଲ୍ୟ ହ୍ରାସ କରିବାକୁ ପଡ଼ିଲା ବୋଲି ବ୍ୟାଙ୍କ କହୁଥିଲେ ହେଁ, ଏହି ଘଟଣାକୁ ନେଇ ଆର୍ଥିକ ମହଲରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି ।
ପୂର୍ବରୁ ଅର୍ଥାତ୍ ୨୦୨୫ ମାର୍ଚ୍ଚ ମାସରେ ସ୍ୱାଧୀନ ମୂଲ୍ୟାଙ୍କନକାରୀଙ୍କ ଦ୍ୱାରା କରାଯାଇଥିବା ଆକଳନରେ ବ୍ୟାଙ୍କ ସମ୍ପତ୍ତିର ମୂଲ୍ୟ ରେକର୍ଡ ସ୍ତରରେ ବୃଦ୍ଧି ପାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା । ସେହି ସମୟରେ ବ୍ୟାଙ୍କର ଜମି ଓ କୋଠାବାଡ଼ିର ମୋଟ ମୂଲ୍ୟ ୧୧,୩୮୩ କୋଟି ଟଙ୍କା ଥିଲା । କିନ୍ତୁ ସଦ୍ୟତମ ସଂଶୋଧନ ପରେ ମାର୍ଚ୍ଚ ୨୦୨୬ ସୁଦ୍ଧା ତାହା ୮,୮୮୧ କୋଟି ଟଙ୍କାକୁ ଖସି ଆସିଛି । ଏହି ହ୍ରାସରେ ୨,୧୨୨ କୋଟି ଟଙ୍କାର କାଟ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ଅନ୍ୟପକ୍ଷରେ, ଫେୟାରଫାକ୍ସ ଚୁକ୍ତି ପାଇଁ ଗୋଟିଏ ସେୟାରର ମୂଲ୍ୟ ୮୧ ଟଙ୍କା ନିର୍ଦ୍ଧାରଣ କରିବା ସମୟରେ ସରକାରଙ୍କ ଦ୍ୱାରା ନିଯୁକ୍ତ ମୂଲ୍ୟାଙ୍କନ ସଂସ୍ଥା ଏହି ହ୍ରାସ ହୋଇଥିବା ଦର ଆଧାରରେ ଆକଳନ ପ୍ରସ୍ତୁତ କରିଥିଲା କି ନାହିଁ, ସେ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି ।
ତେବେ ସରକାରୀ ସୂତ୍ରର ଦାବି ଅନୁଯାୟୀ, ହାଇଦ୍ରାବାଦରେ ୫୦ ଏକର ପରିମିତ ଅଞ୍ଚଳରେ ଥିବା ବ୍ୟାଙ୍କର ପ୍ରଶିକ୍ଷଣ କେନ୍ଦ୍ର କ୍ୟାମ୍ପସ ଏବଂ ମୁମ୍ବାଇରେ ଲିଜ୍ ସୂତ୍ରରେ ଥିବା ମୁଖ୍ୟ ଶାଖା ଏହି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ସୂଚନା ମିଳିଛି । ବିଶେଷ କରି ହାଇଦ୍ରାବାଦସ୍ଥିତ ପ୍ରଶିକ୍ଷଣ କେନ୍ଦ୍ର ଜମିକୁ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ନିୟମ ରହିଛି । ଏଭଳି ଆଇନଗତ ପ୍ରତିବନ୍ଧକ ଥିବା ସମ୍ପତ୍ତିଗୁଡ଼ିକ ଘରୋଇ ସଂସ୍ଥା ହାତକୁ ଯିବା ପରେ ସେଗୁଡ଼ିକର ଭବିଷ୍ୟତ କ’ଣ ହେବ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ମୋଟାମୋଟି ଭାବେ ଆଇଡିବିଆଇ ବ୍ୟାଙ୍କ ବିକ୍ରୟ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ଅଭାବ ରହିଥିବା ନେଇ ସମାଲୋଚନା ଜୋର ଧରିଛି । ସମ୍ପତ୍ତି ମୂଲ୍ୟାଙ୍କନ ସମ୍ପର୍କିତ ସମ୍ପୂର୍ଣ୍ଣ ରିପୋର୍ଟକୁ ସାର୍ବଜନୀନ କରିବା ସହ ପ୍ରକୃତରେ ସେହି ଦୁଇଟି ସମ୍ପତ୍ତି କ’ଣ ତାହା ସ୍ପଷ୍ଟ କରିବାକୁ ବାଣିଜ୍ୟ ଓ କର୍ମଚାରୀ ସଂଘଗୁଡ଼ିକ ଦାବି କରିଛନ୍ତି । ସରକାରଙ୍କ ବିକ୍ରୟ ନିଷ୍ପତ୍ତି ଏବଂ ସମ୍ପତ୍ତି ମୂଲ୍ୟ ହ୍ରାସ ସମ୍ପର୍କିତ ସମସ୍ତ ସତ୍ୟାସତ୍ୟ ସମ୍ପୂର୍ଣ୍ଣ ଭାବେ ସାମ୍ନାକୁ ଆସିଲେ ହିଁ ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ରହିଛି ।
Also Read- ୩ଜଣଙ୍କୁ ନୂଆ ଜୀବନ ଦେଇ ଚିର ନିଦ୍ରାରେ ସୁନା ଝିଅ ଦିବ୍ୟାଶୀ