ପୁରୀ: (ସଞ୍ଜୟ କୁମାର ମହାପାତ୍ର) ୧୦ ବର୍ଷିୟା କୁନି ଝିଅର ଚିତା ସ୍ଵର୍ଗଦ୍ଵାରରେ ଜଳିବା ପୂର୍ବରୁ ସେ ଦାନ କରିଯାଇଛି ତାର କିଡ୍ନୀ ଓ ଯକୃତ । କୁନି ଝିଅର ଅକାଳ ବିୟୋଗ ନେଇ ପରିବାର ଲୋକେ ଶୋକ ସାଗରରେ ବୁଡ଼ିଥିବା ବେଳେ ଅନ୍ୟପଟେ ତାହାର ମହତ କାର୍ଯ୍ୟ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ମୃତ ଝିଅ ଗଞ୍ଜାମର ଦିବ୍ୟାଶୀ ପାତ୍ର ।
ଖବର ମୁତାବକ ଚଳିତ ମାସ ୧ ତାରିଖରେ ଭୁବନେଶ୍ବରର ଡମଣାହାଟ ଠାରେ ଏକ ଦୁର୍ଘଟଣାରେ ଏହି କୁନି ଝିଅ ଓ ତାର ପିତା ଗୁରୁତର ହୋଇଥିଲେ। ସେମାନେ ମୋଟରସାଇକେଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ କାର ଧକ୍କା ଦେଇଥିଲା । କୁନି ଝିଅ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ । ତାଙ୍କ ବାପାଙ୍କ ହାତ ଭାଙ୍ଗି ଯିବାରୁ ସେ ମଧ୍ୟ ଚିକିତ୍ସିତ ଥିଲେ । ଚିକିତ୍ସା ପରେ ବାପା ସୁସ୍ଥ ହୋଇଛନ୍ତି। ହେଲେ ରୋଗୀ ଶଯ୍ୟାରେ ଜୀବନମରଣ ସହ ସଂଘର୍ଷ କରି ଶେଷରେ ଏହି କୁନି ଝିଅ କ୍ୟାପିଟାଲ ହସ୍ପିଟାଲରେ ଆରପାରିକୁ ଚାଲି ଯାଇଛି । ଏହି ଝିଅ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଠାରେ ଥିବା ଡିଏଭି ସ୍କୁଲରେ ପାଠପଢ଼ୁଥିଲା। ତାଙ୍କ ବାପା ଏଠାରେ କାର୍ଯ୍ୟ କରୁଥିଲେ । ତାଙ୍କ ମା’ ମଧ୍ୟ ଶିକ୍ଷୟିତ୍ରୀ । ଏକମାତ୍ର ଶିଶୁକୁ ହରାଇ ବାପା, ମା’ ଓ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।
କୁନି ଝିଅର ଅନ୍ତିମ ସଂସ୍କାର ବେଳେ ସ୍ଵର୍ଗଦ୍ଵାରରେ ଶୋକର ଛାୟା ସ୍ପଷ୍ଟ ବାରି ହୋଇପଡ଼ିଥିଲା। କୁନି ଝିଅର ବାପା ସଂଗ୍ରାମ ପାତ୍ର ଓ ମା’ ମଧ୍ଯ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲେ । ମାମୁଁ ଦେବବ୍ରତ ପାତ୍ର ମୁଖାଗ୍ନି ଦେଇଥିଲେ । ସ୍ବର୍ଗଦ୍ବାର ସେବା ସମିତି ପକ୍ଷରୁ ଏହି ଶିଶୁର ଶେଷ କୃତ ନିମନ୍ତେ ସମସ୍ତ ସୁବନ୍ଦୋବସ୍ତ କରାଯାଇଥିଲା। କୁନି ଝିଅର ଅବଦାନ ନିମନ୍ତେ ତାଙ୍କର ଆତ୍ମାର ସଦଗତି କାମନା ସହ ପୋଲିସ ବାହିନୀ ପକ୍ଷରୁ ସ୍ୱର୍ଗଦ୍ୱାର ଠାରେ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ସେ ସିନା ଚାଲିଗଲା। ହେଲେ ୩ ଜଣଙ୍କୁ ଅଙ୍ଗଦାନ କରି ଅମର ହୋଇ ରହିଗଲା। ଏହି ପ୍ରେରଣା, ତ୍ୟାଗ, ମାନବିକତା ଓ ମୂଲ୍ୟବୋଧର ଉଦାହରଣ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।