ଭଦ୍ରକ: (ଅଭୟ ମହାନ୍ତି) ଯାତ୍ରା ସରିଲା, ମଞ୍ଚରୁ ଅଭିନୟ ବି ସରିଲା। ହେଲେ କଳାକାରଙ୍କୁ ମିଳିଲାନି ପାରିଶ୍ରମିକ! ବକେୟା ଟଙ୍କା ନଦେବାରୁ ରାସ୍ତା ଉପରେ ଆରମ୍ଭ ହେଲା ହାଇଡ୍ରାମା। ଅପେରା ଗାଡ଼ିକୁ ଅଟକାଇଲେ ଖୋଦ୍ ଯାତ୍ରା କଳାକାର। ମାସ ମାସ ଧରି କାମ କରିବା ପରେ ବି ପ୍ରାପ୍ୟ ମିଳିନାହିଁ ବୋଲି କଳାକାର ଅଭିଯୋଗ କରିଛନ୍ତି। ଜଣେ କି ଦୁଇଜଣ ନୁହେଁ, ୮ରୁ ଅଧିକ କଳାକାରଙ୍କ ସମେତ ଦୁଇ ଜଣ ମ୍ୟାନେଜରଙ୍କ ପାଉଣା ବାକି ରହିଥିବା ସୂଚନା। ଶେଷରେ ରାସ୍ତା ମଝିରେ ଗାଡ଼ି ଅଟକାଇଛନ୍ତି କଳାକାର।
ସୂଚନା ମୁତାବକ, ଭଦ୍ରକ ଚରମ୍ପା କାଳୀପୂଜା ଯାତ୍ରା ମହୋତ୍ସବରେ ମଞ୍ଚରେ ଅଭିନୟ କରିଥିଲେ କଳାକାର। ହେଲେ ଯାତ୍ରା ସରିବା ପରେ ନିଜ ପ୍ରାପ୍ୟ ପାଇନଥିଲେ। ଅଭିଯୋଗ ଅନୁଯାୟୀ, ପୂର୍ବରୁ ଉତ୍କଳ ରଙ୍ଗମଞ୍ଚ ନାମରେ ପରିଚିତ ଯାତ୍ରା ପାର୍ଟିର ଏବେ ନାମ ପରିବର୍ତ୍ତନ ହୋଇ ଅପେରା ସୂର୍ଯ୍ୟବଂଶୀ ହୋଇଛି। ଏହି ଅପେରାରେ କାର୍ଯ୍ୟ କରୁଥିବା ଅଭିନେତା କାବୁଲାଙ୍କର ପ୍ରାୟ ଅଢ଼େଇ ମାସର ବକେୟା ପାଉଣା ବାବଦକୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବାକି ଥିବା ଅଭିଯୋଗ ହୋଇଛି। ଏନେଇ ସେ ପୂର୍ବରୁ ଭଦ୍ରକ ଟାଉନ ଥାନାରେ ଏତଲା ମଧ୍ୟ ଦେଇଥିଲେ।
କେବଳ କାବୁଲା ନୁହନ୍ତି, ୮ରୁ ଅଧିକ କଳାକାରଙ୍କ ସମେତ ଦୁଇ ଜଣ ମ୍ୟାନେଜରଙ୍କର ମଧ୍ୟ ପାଉଣା ବାକି ଥିବା ସୂଚନା ମିଳିଛି। ଚରମ୍ପା କାଳୀପୂଜାରେ ଯାତ୍ରା ପରିବେଷଣ ସାରି ଅପେରା ସୂର୍ଯ୍ୟବଂଶୀର ଗାଡ଼ି ଓଳାଭର ଅଭିମୁଖେ ଫେରୁଥିବା ବେଳେ ଅଭିନେତା କାବୁଲା ଓ ଅନ୍ୟ ଦୁଇ ଜଣ କଳାକାର ଗାଡ଼ିକୁ ଅଟକାଇଥିଲେ। ବକେୟା ଟଙ୍କା ନମିଳିବାରୁ ଶେଷରେ ରାସ୍ତାରେ ଗାଡ଼ି ଅଟକାଇ ପ୍ରତିବାଦ କରିଥିଲେ କଳାକାର। ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଥିବା ଅପେରା ଗାଡ଼ିକୁ ଥାନାକୁ ଆଣିଥିଲା। ଏବେ ପ୍ରଶ୍ନ ଉଠୁଛି ଯେ, ମଞ୍ଚରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଉଥିବା କଳାକାରଙ୍କ ଝାଳବୁହା ପରିଶ୍ରମର ମୂଲ୍ୟ କେବେ ମିଳିବ? ମାସ ମାସ ଧରି ବକେୟା ପାଉଣା ଅଟକାଇ ରଖିବା ପଛରେ କାହାର ଦାୟିତ୍ୱହୀନତା? ଏବେ ନ୍ୟାୟ ଅପେକ୍ଷାରେ ରହିଛନ୍ତି ଯାତ୍ରା କଳାକାର।