Severe Cyclonic Storm: ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି ‘ମୁରାସୁ’ । ଘଣ୍ଟାପ୍ରତି ୨୦ କିମି ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଏହା ଗତି କରୁଛି । ବର୍ତ୍ତମାନ ଚେନ୍ନାଇଠାରୁ ୨୬୦ କିମି ଦୂରରେ ରହିଛି ବାତ୍ୟା । ନେଲୋରରୁ ୨୯୦, ମଛଲିପଟନମ୍ଠାରୁ ୩୨୦ କିମି ଦୂରରେ ରହିଛି ବାତ୍ୟା ‘ମୁରାସୁ’ । ଆଜି ମଧ୍ୟରାତ୍ରିରୁ କାଲି ଭୋର ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ନେଲୋର ଓ ନରସାପୁର ମଧ୍ୟରେ ଓଙ୍ଗୋଲ ନିକଟରେ ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଉଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ । ଝଟକା ପବନର ବେଗ ସର୍ବାଧିକ ୧୨୦ କିଲୋମିଟର ପ୍ରତି ଘଣ୍ଟା ରହିପାରେ।
ଆଜି ସନ୍ଧ୍ୟାରୁ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ଏବଂ ସର୍ବାଧିକ ୬୦ କିଲୋମିଟର ରହିବା ସହ ପ୍ରତିକୂଳ ପାଗ ଆରମ୍ଭ ହେବାର ସମ୍ଭାବନା ରହିଛି। ୩ ନଭେମ୍ବର ଭୋରରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ଏବଂ ସର୍ବାଧିକ ୭୦ କିଲୋମିଟର ହେବାର ସମ୍ଭାବନା ଅଛି। ଏହାପରେ ପବନର ବେଗ ଧୀରେ ଧୀରେ ହ୍ରାସ ପାଇ ୩ ନଭେମ୍ବର ରାତିରୁ ୪ ନଭେମ୍ବର ଅପରାହ୍ନ ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ଏବଂ ସର୍ବାଧିକ ୬୦ କିଲୋମିଟର ରହିପାରେ।
ନଭେମ୍ବର ୨ ତାରିଖ ସନ୍ଧ୍ୟାରୁ ୪ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବା ସହ ଏହାପରେ ପାଗରେ ସୁଧାର ଆସିବ। ମତ୍ସ୍ୟଜୀବୀମାନଙ୍କୁ ଏହି ସମୟ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ତଥା ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆଜି ରାଜ୍ୟର ୨ଟି ଜିଲ୍ଲାକୁ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଆସନ୍ତାକାଲି ଅର୍ଥାତ ୩ ନଭେମ୍ୱରରେ ରାଜ୍ୟର ସମସ୍ତ ଜିଲ୍ଲାକୁ ବଜ୍ରପାତ ନେଇ ଆଲର୍ଟ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ୪ ନଭେମ୍ୱର ପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ନୂଆପଡା, ବରଗଡ, ନୟାଗଡ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
Warning for Odisha. Day-1 to Day-5: Isolated Thunderstorm with Lightning and Gusty Wind. Day-3 & Day-4: Isolated Very Heavy Rainfall. Day-2 to Day-4: Heavy Rainfall. Day-6 & Day-7: No Warning. #odisha #weather #warning https://t.co/J2IJY1z2st
— Meteorological Centre, Bhubaneswar (@mcbbsr) November 1, 2026