Kotia News: କୋରାପୁଟ୍ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ କୋଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରପ୍ରଦେଶର ଅନାଧିକାର ଦଖଲକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ବସିବ। ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ରାଜ୍ୟସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଥିବା ବେଳେ ଏଥିରେ କୋଟିଆ ବିକାଶ ସମ୍ପର୍କରେ ଆଲୋଚନା ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କୋଟିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ବିକାଶ ମୂଳକ କାର୍ଯ୍ୟ ହାତକୁ ନିଆଯାଉଛି।
ସେହି କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା ଆଜି ବୈଠକରେ କରାଯିବ। ଏ ସମ୍ପର୍କରେ ପୂର୍ବରୁ ଗଠିତ କମିଟି ର ୧୬ ଜଣ ସଦସ୍ୟ ଏହି ବୈଠକରେ ରହିବେ। ସୂଚନା ଯୋଗ୍ୟ, ଯେ କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। ବାରମ୍ବାର ଓଡ଼ିଶାର ପ୍ରତିବାଦ ସତ୍ତ୍ବେ ଆନ୍ଧ୍ର ସରକାରଙ୍କର କୋଟିଆ ଦଖଲ ଅଭିଯାନ ଏକାଧିକବାର ବିବାଦ ସୃଷ୍ଟି ହୋଇଛି। ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ବିବାଦ ବଢିଛି।
ବିରୋଧି ଦଳ ନେତା ନବୀନ ପଟ୍ଟନାୟକୋ କୋଟିଆ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ସେ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି। ଏବଂ ବିଜେଡ଼ିର ଏକ ପ୍ରତିନିଧି ଦଳ ସେଠାକୁ ଯାଇ ସ୍ଥିତି ପରଖିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ଆନ୍ଧ୍ରର କୋଟିଆରେ ପଞ୍ଚାୟତ ନିର୍ବାଚନକୁ ଗମ୍ଭୀର ଭାବରେ ନେଇଛନ୍ତି। ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, କୌଣସି ପରିସ୍ଥିତିରେ କୋଟିଆ ପ୍ରସଙ୍ଗରେ ସରକାର ନୀରବ ବସୁ ନାହାଁନ୍ତି।ସରକାର ତାଙ୍କ କାର୍ଯ୍ୟ କରୁଛନ୍ତି। ସମସ୍ତ ପ୍ରକାର ଆଲୋଚନା ଓ ପଦକ୍ଷେପ ନିଆଯାଉଛି।