ପାରାଦୀପ: (ନାରାୟଣ ବେହେରା) ସମୁଦ୍ର ମଝିରେ ବିପଦରେ ପଡ଼ିଥିବା ଜାହାଜକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି ପାରାଦୀପ ବନ୍ଦର। ପ୍ରାୟ ୫୦ ନଟିକାଲ୍ ମାଇଲ୍ ଦୂରରେ ଯାନ୍ତ୍ରିକ ତ୍ରୁଟି ଓ ଜାହାଜ ଭିତରକୁ ପାଣି ପଶିବା ଯୋଗୁଁ ବିପଦରେ ପଡ଼ିଥିଲା MV 'ବିଶ୍ୱ ଉଦୟ' ନାମକ ଜାହାଜ । ଜାହାଜରେ ଥିଲେ ୨୭ ଜଣ କର୍ମଚାରୀ। ଖବର ପାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ପାରାଦୀପ ବନ୍ଦରର ମେରାଇନ୍ ବିଭାଗ। ନଭେମ୍ବର ୧୬ ତାରିଖରେ ସିପିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାପରେ ପାରାଦୀପ ବନ୍ଦର ତରଫରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରା ଯାଇଥିଲା ।
ସୂଚନା ଅନୁଯାୟୀ, MV 'ବିଶ୍ୱ ଉଦୟ' ନାମକ ଜାହାଜରେ ପାଣି ପଶିବା ସହ ପ୍ରପେଲର୍ ଶାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ସମୁଦ୍ର ମଝିରେ ଅସୁବିଧାରେ ପଡ଼ିଥିଲା ଜାହାଜଟି। ତେବେ ପାରାଦୀପ ବନ୍ଦରର ଦୁଇଟି ଟଗ୍ ବୋଟ୍ 'ଡଲଫିନ୍-୨୫' ଏବଂ 'ଡଲଫିନ୍-୨୦' ଉଭୟ ଟଗ୍ ବୋଟ୍ର ମିଳିତ ଉଦ୍ୟମରେ ଜାହାଜଟିକୁ ସୁରକ୍ଷିତ ଭାବେ ଟାଣି ଆଣି ପାରାଦୀପ ବନ୍ଦରର ଆଙ୍କରେଜ୍ ଏରିଆରେ ରଖାଯାଇଥିବା ପାରାଦୀପ ବନ୍ଦର ତରଫରୁ ସୂଚନା ଦିଆଯାଇଛି। ଜାହାଜରେ ଥିବା ସମସ୍ତ ୨୭ ଜଣ କ୍ରୀୟୁ ମେମ୍ବର ସୁରକ୍ଷିତ ଥିବା ଜଣାପଡିଛି। ଏହି ସଫଳ ଉଦ୍ଧାର କାର୍ଯ୍ୟ ପାଇଁ ପାରାଦୀପ ବନ୍ଦର ମେରାଇନ୍ ବିଭାଗ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ୍ ସମସ୍ତ କର୍ମଚାରୀଙ୍କୁ ବନ୍ଦର ଶ୍ରୀଯୁକ୍ତ ସୁଶାନ୍ତ କୁମାର ପୁରୋହିତ ପ୍ରଶଂସା କରିଛନ୍ତି।