Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
1.Chhadakhai 2026: ସରିଲା ପବିତ୍ର କାର୍ତ୍ତିକ ମାସ। ଆଜି ଛାଡ଼ଖାଇ। ମାସକର ଅପେକ୍ଷା ପରେ ପୁଣି ଆମିଷ ଖାଇବେ ଆମିଷପ୍ରିୟ ଓଡ଼ିଆ। ଘରେ ଘରେ ଜମିବ ମାଛ, ମାଂସ ଓ ଚିକେନ୍ର ଆସର। କେଉଁଠି ମଟନ୍ ତ ଆଉ କେଉଁଠି ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହେବ। ଛାଡ଼ଖାଇକୁ ନେଇ ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଗ୍ରାହକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି।
2.Accident: କଟକର ଲିଙ୍କ୍ ରୋଡ୍ସ୍ଥିତ ଏକ ରାସ୍ତାକଡ଼ ଗ୍ୟାରେଜ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହଠାତ୍ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ୭ରୁ ୮ଟି ବସ୍ ଜଳିଯାଇଥିବା ସୂଚନା ମିଳିଛି। ଘଟଣା ସମୟରେ ବସ୍ଗୁଡ଼ିକ ଖାଲି ଅବସ୍ଥାରେ ପାର୍କିଂ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି।
3.Odisha Weather Report: ରାଜ୍ୟରେ ଶୀତର ପ୍ରଭାବ ଧୀରେ ଧୀରେ ବଢ଼ୁଥିବାବେଳେ ଏବେ କୁହୁଡ଼ିକୁ ନେଇ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଓଡ଼ିଶାର ୯ଟି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଫଗ୍ ଫୋରକାଷ୍ଟ ଜାରି କରାଯାଇଛି।
ALSO READ: Pension Update: ଅକ୍ଟୋବର ଓ ନଭେମ୍ବର ଭତ୍ତା ଏକାଠି ପାଇବେ ହିତାଧିକାରୀ, ଆଜିଠୁ ଆରମ୍ଭ...
4.Pension Update: ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଇବାକୁ ଅପେକ୍ଷା କରିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆଜିଠାରୁ ମିଳିବ ଦୁଇ ମାସର ବକେୟା ଭତ୍ତା ଟଙ୍କା। ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ଏକାଠି ପାଇବେ ଯୋଗ୍ୟ ହିତାଧିକାରୀ। ଏନେଇ ଭତ୍ତା ପାଇବାକୁ ଅପେକ୍ଷା କରିଥିବା ବୃଦ୍ଧବୃଦ୍ଧା ଓ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।
5.President Droupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ପ୍ରଥମ ଦିନରେ ସେ କଟକର ଐତିହାସିକ ବାଲିଯାତ୍ରା-୨୦୨୬କୁ ଉଦ୍ଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ଭୁବନେଶ୍ୱରସ୍ଥିତ ଲୋକଭବନରେ ରାତ୍ରିଯାପନ କରିଥିଲେ। ଆଜି ଭୁବନେଶ୍ୱରର ଡା. ଅଭିନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜରେ ଆୟୋଜିତ ଜାତୀୟ ହୋମିଓପାଥିକ୍ ବୈଜ୍ଞାନିକ ସମ୍ମିଳନୀରେ ରାଷ୍ଟ୍ରପତି ଯୋଗଦେବେ। ଏହାପରେ ସେ ନୂଆଦିଲ୍ଲୀ ଫେରିବେ।
6.Pakistan Terror Links: ପାକିସ୍ତାନୀ ଆତଙ୍କୀ ଲିଙ୍କ୍ ସନ୍ଦେହରେ ଉତ୍ତରପ୍ରଦେଶର ମୀରଟରୁ ଉଜେର କ୍ୟୁରେଶୀ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗ ରହିଛି। ସୂଚନା ଅନୁସାରେ, ସେ ଜମ୍ମୁ-କଶ୍ମୀରରେ ସୁରକ୍ଷା କ୍ୟାମ୍ପ ଉପରେ ଆକ୍ରମଣ କରି ଉଡ଼ାଇବାକୁ ଯୋଜନା କରୁଥିଲା। ଏଥିସହ ପାକିସ୍ତାନୀ ହ୍ୟାଣ୍ଡଲର ଶେହଜାଦ ଭଟ୍ଟି ଓ ମହମ୍ମଦ ସାଜିଦଙ୍କ ସହ ତାଙ୍କର ସମ୍ପର୍କ ଥିବା ସନ୍ଦେହ କରାଯାଉଛି। ଘଟଣାରେ ସୁରକ୍ଷା ଏଜେନ୍ସି ପକ୍ଷରୁ ତଦନ୍ତ ଜାରି ରହିଛି।
7.Office Party Case: ଦିଲ୍ଲୀର ପ୍ରୀତ ବିହାର ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ମହିଳାଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଏକ କାଫେରେ ଅଫିସ ପାର୍ଟି ସରିବା ପରେ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ସହକର୍ମୀ ଫେରାର ଥିବା ସୂଚନା ଦେଇଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।
8.Trump May Raise Tariffs Again: ଆମେରିକା ପୁଣି ଥରେ ବିଭିନ୍ନ ଦେଶ ଉପରେ ଟାରିଫ୍ ବୃଦ୍ଧି କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ, ଚୀନ୍ ସମେତ ୧୬ଟି ଦେଶ ଉପରେ ନୂଆ ଟାରିଫ୍ ଲାଗୁ କରିବା ନେଇ ବିଚାର କରୁଥିବା ସୂଚନା ମିଳିଛି। ଆମେରିକୀୟ କମ୍ପାନୀଗୁଡ଼ିକର ସ୍ୱାର୍ଥ ରକ୍ଷା ପାଇଁ ଏହି ଟାରିଫ୍ ବୃଦ୍ଧି ହୋଇପାରେ। ଏହାର ପ୍ରଭାବ ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତି ଉପରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି। ସୂଚନା ଅନୁସାରେ, ବର୍ତ୍ତମାନ ଭାରତୀୟ ଉତ୍ପାଦ ଉପରେ ୧୦ ପ୍ରତିଶତ ଟାରିଫ୍ ରହିଛି। ଯଦି ଆମେରିକା ପୁଣି ଟାରିଫ୍ ବୃଦ୍ଧି କରେ, ତେବେ ଭାରତୀୟ ରପ୍ତାନିକାରୀ ଓ ବାଣିଜ୍ୟ କ୍ଷେତ୍ର ପ୍ରଭାବିତ ହୋଇପାରେ।
9.Turkey Helicopter Crash: ତୁର୍କୀରେ ଏକ ମିଲିଟାରୀ ହେଲିକପ୍ଟର କ୍ରାସ୍ ହେବା ଫଳରେ ୫ ଜଣ ଯବାନଙ୍କର ମୃତ୍ୟୁ ହୋଇଛି। ଟ୍ରେନିଂ ସମୟରେ ହେଲିକପ୍ଟରଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁବରଣ କରିଥିବା ୫ ଯବାନ AS-୩୫୨ କୁଗାର ହେଲିକପ୍ଟରରେ ଥିଲେ। ଏହି ହେଲିକପ୍ଟରଟି ଇସ୍ତାନବୁଲ ଓ ଅଙ୍କାରା ମଧ୍ୟବର୍ତ୍ତୀ ଅଞ୍ଚଳର ଏସ୍କିସେହିର ବେସ୍ରୁ ଉଡ଼ାଣ ଭରିଥିଲା। ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
10.World Chess Championship: ବିଶ୍ୱ ଚେସ୍ ଚାମ୍ପିୟନସିପ୍ର ପ୍ରଥମ ମ୍ୟାଚ୍ରେ ଭାରତୀୟ ଡିଫେଣ୍ଡିଂ ଚାମ୍ପିୟନ ଡି. ଗୁକେଶ ଓ ଉଜବେକିସ୍ତାନର ଗ୍ରାଣ୍ଡମାଷ୍ଟର ଜାଭୋଖିର ସିଣ୍ଡାରୋଭଙ୍କ ମଧ୍ୟରେ ମ୍ୟାଚ୍ ଡ୍ର ରହିଛି। ବର୍ଲିନ୍ ଡିଫେନ୍ସ ରଣନୀତି ଆପଣାଇ ଗୁକେଶ ପ୍ରତିପକ୍ଷଙ୍କ ଆକ୍ରମଣକୁ ସଫଳତାର ସହ ରୋକିଥିଲେ। ଶେଷରେ ୩୮ଟି ଚାଲ୍ ପରେ ଉଭୟ ଖେଳାଳି ପଏଣ୍ଟ ବାଣ୍ଟି ନେଇଥିଲେ। ଫଳରେ ଚାମ୍ପିୟନସିପ୍ର ସ୍କୋର ୦.୫-୦.୫ ରହିଛି। ଦ୍ୱିତୀୟ ମ୍ୟାଚ୍ରେ ବୁଧବାର ଗୁକେଶ ଧଳା ଗୋଟିରେ ଖେଳିବେ।