ଭୁବନେଶ୍ୱର: (ମନୋଜ ମାଲିଆ) ଦୀପାବଳି ପୂର୍ବରୁ ବାଣ ବିକ୍ରି ଓ ବ୍ୟବହାର ଉପରେ ନଜର ରଖିବାକୁ ଆକ୍ସନ ମୋଡ୍ରେ ପ୍ରଶାସନ। ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ବିଭିନ୍ନ ବାଣ ଦୋକାନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (Pollution Control Board) ଓ କମିଶନରେଟ୍ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।
ଏହି ଚଢ଼ାଉ ସମୟରେ ଗ୍ରୀନ୍ କ୍ରାକର୍ସ ବା ପରିବେଶ ଅନୁକୂଳ ବାଣ ବିକ୍ରି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ବାଣ ଦୋକାନଗୁଡ଼ିକରେ କେଉଁ ପ୍ରକାରର ବାଣ ବିକ୍ରି ହେଉଛି, ତାହା ଯାଞ୍ଚ କରୁଛନ୍ତି ଅଧିକାରୀ। ନିୟମ ଅନୁଯାୟୀ ଗ୍ରୀନ୍ କ୍ରାକର୍ସ ବିକ୍ରି ହେଉଛି କି ନାହିଁ, ସେନେଇ ତଦାରଖ କରାଯାଉଛି।
ବାଣ ଫୁଟାଇବା ଦ୍ୱାରା ବାୟୁ ଓ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ପରିବେଶ ସୁରକ୍ଷା ସହ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏହି ଯାଞ୍ଚ କରାଯାଉଛି। ନିୟମ ଉଲ୍ଲଂଘନ କରୁଥିବା ବାଣ ବ୍ୟବସାୟୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ନେଇ ମଧ୍ୟ ତଦାରଖ ଜାରି ରହିଛି।