ଭୁବନେଶ୍ୱର: (ମନୋଜ ମାଲିଆ) ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବୈଜ୍ଞାନିକଙ୍କୁ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ଜୟଦେବ ଭବନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଆୟୋଜିତ ''ବୈଜ୍ଞାନିକ ସମ୍ମାନନା ଓ ପୁରସ୍କାର ପ୍ରଦାନ ଉତ୍ସବ-୨୦୨୪''ରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବୈଜ୍ଞାନିକମାନଙ୍କୁ ପୁରସ୍କୃତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ବୈଜ୍ଞାନିକମାନଙ୍କୁ ସମ୍ମାନିତ କରିଥିଲେ। ବୈଜ୍ଞାନିକମାନଙ୍କ ଗବେଷଣା, ନୂତନ ଉଦ୍ଭାବନ ଓ ସମାଜ ପ୍ରତି ଥିବା ଅବଦାନକୁ ସ୍ୱୀକୃତି ଦେବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ।
ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ‘ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ-୨୦୨୪’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଓ ବୈଜ୍ଞାନିକ ଅବଦାନ ପାଇଁ ପ୍ରତିଭାସମ୍ପନ୍ନ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିବାର ସୌଭାଗ୍ୟ ଲାଭ କଲି। ଏହି ଅବସରରେ ୫ ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ ‘ଓଡ଼ିଶା ବରିଷ୍ଠ ବୈଜ୍ଞାନିକ ସମ୍ବର୍ଦ୍ଧନା’, ଡ. ସୁରେନ୍ଦ୍ର କୁମାର ବିଶ୍ୱାଳଙ୍କୁ ବୈଜ୍ଞାନିକ ଉତ୍କର୍ଷ ପାଇଁ ‘ବିଜୁ ପଟ୍ଟନାୟକ ପୁରସ୍କାର’, ୪ ଜଣଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’, ୨ ଜଣଙ୍କୁ ‘ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର’ ଏବଂ ‘ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର’ ପ୍ରଦାନ କରାଗଲା। ଏହି ଗରିମାମୟ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶିକା ଶ୍ରୀମତୀ ଚିତ୍ରା ଆରୁମୁଗମ୍ ଏବଂ ଓଡ଼ିଶା ବିଜ୍ଞାନ ଏକାଡେମୀର ସଭାପତି ଶ୍ରୀ ଶିବାନୀ ମହାନ୍ତି ଉପସ୍ଥିତ ରହି ଉତ୍ସବର ଗରିମା ବୃଦ୍ଧି କରିଥିଲେ। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଓଡ଼ିଶାର ପ୍ରତିଭାମାନଙ୍କ ଅବଦାନ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ସେମାନଙ୍କର ନିଷ୍ଠା, ଗବେଷଣା ଓ ଉଦ୍ଭାବନ ଆଗାମୀ ପିଢ଼ିକୁ ବିଜ୍ଞାନମନସ୍କ ହେବା ସହ ନୂତନ ଆବିଷ୍କାର ଦିଗରେ ପ୍ରେରଣା ଯୋଗାଇବ।
— Krushna Chandra Patra (@_KrushnaChPatra) November 9, 2026
ଏହି ସମ୍ମାନ ଓ ପୁରସ୍କାର ଆଗାମୀ ପିଢ଼ିର ଜୁନିଅର ବୈଜ୍ଞାନିକମାନଙ୍କୁ ଗବେଷଣା କ୍ଷେତ୍ରରେ ଆଗକୁ ବଢ଼ିବା ଏବଂ ନୂଆ ନୂଆ ଉଦ୍ଭାବନ କରିବା ପାଇଁ ପ୍ରେରଣା ଯୋଗାଇବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶରେ ଯୁବ ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
Also Read- ଜେଲ୍ ଗଲେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ