'ଜାତୀୟ ବୈଜ୍ଞାନିକ ହୋମିଓପାଥି ସମ୍ମିଳନୀ'ରେ ଯୋଗ ଦେବା ପରେ ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି
ଭୁବନେଶ୍ୱର ସ୍ଥିତ ଡକ୍ଟର ଅଭିନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଆୟୋଜିତ ଜାତୀୟ ହୋମିଓପାଥିକ୍ ବୈଜ୍ଞାନିକ ସମ୍ମିଳନୀରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେଇଥିଲେ।
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଧାନୀ ଭୁବନେଶ୍ୱରଠାରେ ଆୟୋଜିତ 'ଜାତୀୟ ବୈଜ୍ଞାନିକ ହୋମିଓପାଥି ସମ୍ମିଳନୀ' (National Scientific Convention on Homoeopathy)ରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ଭାରତର ବିବିଧ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋମିଓପାଥି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏକ ସୁଲଭ, ସମାନ, ବୈଜ୍ଞାନିକ ଦୃଷ୍ଟିରୁ ଦାୟିତ୍ୱସମ୍ପନ୍ନ ଏବଂ ସମ୍ବେଦନଶୀଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଠନ ଦିଗରେ ଯୋଗଦାନ ଦେବାକୁ ସେ ବିଭିନ୍ନ ଅନୁଷ୍ଠାନ, ଗବେଷକ, ଶିକ୍ଷକ ଏବଂ ସ୍ୱାସ୍ଥ୍ୟସେବା କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।
ଭୁବନେଶ୍ୱର ସ୍ଥିତ ଡକ୍ଟର ଅଭିନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଆୟୋଜିତ ଜାତୀୟ ହୋମିଓପାଥିକ୍ ବୈଜ୍ଞାନିକ ସମ୍ମିଳନୀରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେଇଥିଲେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆୟୁଷକୁ ମିଳିଥିବା ସ୍ୱତନ୍ତ୍ର ମର୍ଯ୍ୟାଦାର ପ୍ରଶଂସା କରି, ଗବେଷଣାର ମାନ, କ୍ଲିନିକାଲ୍ ଅଧ୍ୟୟନ, ଚିକିତ୍ସା ସୁରକ୍ଷା ଓ ବୈଜ୍ଞାନିକ ପ୍ରମାଣକୁ ସର୍ବାଧିକ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ରାଜ୍ୟରେ ଆୟୁଷ ଭିତ୍ତିଭୂମିର ସମ୍ପ୍ରସାରଣ ସମ୍ପର୍କରେ ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନୂଆପଡ଼ା ଓ ନୟାଗଡ଼ରେ ନୂଆ ସରକାରୀ ହୋମିଓପାଥିକ୍ ମେଡିକାଲ କଲେଜ ପ୍ରତିଷ୍ଠା, ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ସମନ୍ୱିତ ଆୟୁଷ ହସ୍ପିଟାଲ, ଷ୍ଟାଇପେଣ୍ଡ୍ ଓ କ୍ୟାଡର ବେତନ ସଂଶୋଧନ ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡ଼ିକର ଉନ୍ନତୀକରଣ ମାଧ୍ୟମରେ ସମନ୍ୱିତ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା ପ୍ରକାଶ କରିଛନ୍ତି।
ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସମାପ୍ତି ଅବସରରେ ଭୁବନେଶ୍ୱର ବିମାନବନ୍ଦରଠାରେ ମାନ୍ୟବର ରାଜ୍ୟପାଳ ବ୍ରଜମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।
Also Read- ବାଇକରେ ୧୫ କିମି ପିଛା କରି ଦୁର୍ବୃତ୍ତକୁ କାବୁ କଲେ ପୋଲିସ ବାବୁ, ଖୋଲିଲା ଗୁମର