ପୁରୀ: (ସଞ୍ଜୟ ମହାପାତ୍ର) ସହରରେ ସମସ୍ଯା ଦିନକୁ ଦିନ ଉତ୍କଟ ହେଉଥିବା ବେଳେ ଜନସମସ୍ୟା, ସ୍ଥାଣୁ ପାଲଟିଥିବା ଉନ୍ନୟନମୂଳକ କାର୍ଯ୍ୟ ଏବଂ ପ୍ରଶାସନିକ ଅବହେଳା ବିରୋଧରେ ଗର୍ଜିଛି ବିଜୁ ଜନତା ଦଳ। ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ପୁରୀ ପୌର ସଦନ ଠାରୁ ଏକ ବିଶାଳ ଶାନ୍ତିପୂର୍ଣ୍ଣ ପଦଯାତ୍ରା ବାହାରି ପୁରୀ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଆନ୍ଦୋଳନରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମକର୍ତ୍ତା, ଯୁବନେତା, ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ନିଜର ହକ୍ ପାଇଁ ପ୍ରଶାସନ ଆଗରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ।
ମହାନଗର ନିଗମ ସମ୍ମୁଖରେ ଉପସ୍ଥିତ ଜନସମୁଦ୍ରକୁ ସମ୍ବୋଧିତ କରିବା ସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାୟକ ଶ୍ରୀ ମହାନ୍ତି ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଗତ ଏକ ବର୍ଷ ମଧ୍ୟରେ ପୁରୀ ମହାନଗର ନିଗମର ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପାଖାପାଖି ୧୨୨ କୋଟି ଟଙ୍କାର ଅନୁଦାନ ଅଣାଯାଇଥିଲା। କିନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ ସେଥିମଧ୍ୟରୁ ଆଜି ସୁଦ୍ଧା ପ୍ରାୟ ୯୪ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। ଗୋଟିଏ ଗୋଟିଏ ୱାର୍ଡ ପିଛା ପ୍ରାୟ ଦୁଇରୁ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ ହୋଇପାରୁ ନାହିଁ। ବଜେଟ୍ ଏବଂ ଅର୍ଥ ଥାଇ ମଧ୍ୟ ସହରର ବିକାଶ କାମ ଆଗେଇ ନପାରିବା ପ୍ରଶାସନର ଚରମ ଅପାରଗତାକୁ ପଦାରେ ପକାଇଛି।
ଶ୍ରୀ ମହାନ୍ତି ଆହୁରି ଦର୍ଶାଇଛନ୍ତି ଯେ, ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ସମୟରେ ବିସ୍ଥାପିତ ହୋଇଥିବା ଉଠା ବ୍ୟବସାୟୀଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ଥଇଥାନ କରାଯାଇନାହିଁ କିମ୍ବା ଭେଣ୍ଡିଂ ଜୋନ୍ କାର୍ଯ୍ୟକ୍ଷମ କରାଯାଇ ନାହିଁ। ସେହିପରି ସହରର ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା ଓ ଲାଇଟ୍ ସମସ୍ୟା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏଥିସହ ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ସେ ପୁନର୍ବାର ଦାବି କରିଛନ୍ତି। ବିଧାନସଭା ଗୃହ ଠାରୁ ଆରମ୍ଭ କରି ରଥଯାତ୍ରା ସମନ୍ୱୟ ବୈଠକ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ସେ ଏହି ପ୍ରସଙ୍ଗଗୁଡ଼ିକୁ ବାରମ୍ବାର ଉଠାଇ ସ୍ମାରକପତ୍ର ପ୍ରଦାନ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ।
ଏହି ସମସ୍ତ ଦାବି ନେଇ ବିଧାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହାନଗର ନିଗମ କମିଶନରଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିବାକୁ ଯାଇଥିଲେ। ମାତ୍ର କମିଶନର କାର୍ଯ୍ୟାଳୟରେ ଉପସ୍ଥିତ ନରହିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ବିଧାୟକ ଶ୍ରୀ ମହାନ୍ତି ମହାନଗର ନିଗମର ମୁଖ୍ୟ ଫାଟକର ଉଭୟ ପାର୍ଶ୍ୱ କାନ୍ଥରେ ଅଠା ଲଗାଇ ଦାବିପତ୍ର ଟାଙ୍ଗି ଦେଇଥିଲେ। ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସାଙ୍ଗରେ ଥିଲା ଏବଂ ରହିବ ବୋଲି ସ୍ପଷ୍ଟ କରି ସେ ମହାନଗର ନିଗମ ପ୍ରଶାସନକୁ ୩ ମାସର ମହଲତ ଦେଇଛନ୍ତି। ଯଦି ଏହି ତିନି ମାସ ମଧ୍ୟରେ ସମସ୍ତ ପ୍ରତିଶ୍ରୁତି ଓ ଦାବି ପୂରଣ ନହୁଏ, ତେବେ ପୁରୀ ମ୍ୟୁନିସିପାଲ କର୍ପୋରେସନ ବୁଡ଼ିବା ନିଶ୍ଚିତ ଏବଂ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ଧାରଣ କରିବ ବୋଲି ବିଧାୟକ କଡ଼ା ଚେତାବନୀ ଦେଇଛନ୍ତି।