ପୁରୀ: (ସଞ୍ଜୟ ମହାପାତ୍ର) ବାତ୍ୟା ‘ମୁରାସୁ’ ପ୍ରଭାବରେ ଶ୍ରୀକ୍ଷେତ୍ରରେ ଝିପି ଝିପି ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ସକାଳ ଆଠଟା ପରେ ସରକାରୀ ଶିବିରରେ ଥିବା ହବିଷ୍ୟାଳୀମାନଙ୍କର ଶ୍ରୀମନ୍ଦିର ଦର୍ଶନ ସ୍ଥଗିତ ରହିଛି। ହବିଷ୍ୟାଳୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ସକାଳ ସମୟରେ କିଛି ହବିଷ୍ୟାଳୀଙ୍କୁ ବସରେ ନେଇ ମହାପ୍ରଭୁଙ୍କ ଦର୍ଶନ କରାଯାଇଥିଲା। ମାତ୍ର ସକାଳ ଆଠଟା ପରେ ବର୍ଷାର ପରିମାଣ ବୃଦ୍ଧି ପାଇବା ଯୋଗୁଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବଶିଷ୍ଟ ହବିଷ୍ୟାଳୀ ମାନଙ୍କ ଶ୍ରୀମନ୍ଦିର ଦର୍ଶନ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି।
ଆପଣଙ୍କୁ କହିରଖୁଛୁ ଯେ, ତିନୋଟି ହବିଷ୍ୟାଳୀ କେନ୍ଦ୍ରରେ ମୋଟ ପ୍ରାୟ ତିନି ହଜାର ହବିଷ୍ୟାଳୀ ରହିଛନ୍ତି। ହବିଷ ବ୍ରତ ପାଇଁ ସରକାର ସବୁପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି। ବାତ୍ୟା 'ମୁରାସୁ' ପ୍ରଭାବ ସତ୍ତ୍ୱେ ହବିଷ୍ୟାଳୀମାନେ ସୁରକ୍ଷିତ ଭାବେ ରହିଛନ୍ତି ।
ଲଗାଣ ବର୍ଷାରେ ବଡଦାଣ୍ଡରେ ପାଣି ଜମିବା କାରଣରୁ ଯାତାୟତ ପ୍ରଭାବିତ ହୋଇଛି । ବାତ୍ୟା କାରଣରୁ ସମୁଦ୍ର ଅଶାନ୍ତ ରହିଛି ତେଣୁ ସମୁଦ୍ରକୂଳକୁ ନଯିବା ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ ରହିଥିବା ଦେଖିବାକୁ ମିଳିଛି ।