Vaibhav Sooryavanshi: କ୍ରିକେଟ୍ ମଇଦାନରେ ଛକା ବର୍ଷା, ଇତିହାସ ରଚିଲେ ଭାରତର ଯୁବ ତାରକା
ୟୁଏଇ ବିପକ୍ଷ ମ୍ୟାଚ୍ରେ ବୈଭବ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ ଓଭରରେ ତିନୋଟି ଛକା ମାରି ୟୁଏଇ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ମାତ୍ର ୧୬ ବଲ୍ରେ ଅର୍ଦ୍ଧଶତକ ଏବଂ ୨୮ ବଲ୍ରେ ଶତକ ପୂରଣ କରିଥିଲେ। ଏହା ସହ ଲିଷ୍ଟ-ଏ କ୍ରିକେଟ୍ରେ ଦ୍ରୁତତମ ଶତକର ରେକର୍ଡ ମଧ୍ୟ କରିଥିଲେ।
Vaibhav Sooryavanshi: କ୍ରିକେଟ୍ ମଇଦାନରେ ପୁଣି ଚମକିଲେ ଯୁବ ଭାରତୀୟ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ। ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ସେ ରଚିଛନ୍ତି ନୂଆ ଇତିହାସ। ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷ ମ୍ୟାଚ୍ରେ ମାତ୍ର ୫୨ ବଲ୍ରେ ଦ୍ୱିଶତକ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି ଏହି ଯୁବ କ୍ରିକେଟର୍। ତାଙ୍କର ଏହି ବିସ୍ଫୋରକ ଇନିଂସ ଏବେ କ୍ରିକେଟ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।
୫୨ ବଲ୍ରେ ଦ୍ୱିଶତକ, ୫୩ ବଲ୍ରେ ୨୦୪ ରନ୍:
ୟୁଏଇ ବିପକ୍ଷ ମ୍ୟାଚ୍ରେ ବୈଭବ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ ଓଭରରେ ତିନୋଟି ଛକା ମାରି ୟୁଏଇ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ମାତ୍ର ୧୬ ବଲ୍ରେ ଅର୍ଦ୍ଧଶତକ ଏବଂ ୨୮ ବଲ୍ରେ ଶତକ ପୂରଣ କରିଥିଲେ। ଏହା ସହ ଲିଷ୍ଟ-ଏ କ୍ରିକେଟ୍ରେ ଦ୍ରୁତତମ ଶତକର ରେକର୍ଡ ମଧ୍ୟ କରିଥିଲେ।
ଏହାପରେ ତାଙ୍କ ବ୍ୟାଟ୍ରୁ ଛକା ବର୍ଷା ଜାରି ରହିଥିଲା। ମାତ୍ର ୫୨ ବଲ୍ରେ ଦ୍ୱିଶତକ ପୂରଣ କରିଥିବା ବୈଭବ ମୋଟ ୫୩ ବଲ୍ରେ ୨୦୪ ରନ୍ର ବିଶାଳ ଇନିଂସ ଖେଳିଥିଲେ। ଏଥିରେ ୨୮ଟି ଛକା ଓ ୭ଟି ଚୌକା ସାମିଲ ଥିଲା।
ଭାଙ୍ଗିଲେ ଅନେକ ବଡ଼ ରେକର୍ଡ:
ଏହି ଐତିହାସିକ ଇନିଂସ ସହ ବୈଭବ ନ୍ୟୁଜିଲାଣ୍ଡର ଚାଡ୍ ବୋଏସ୍ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଚାଡ୍ ବୋଏସ୍ ଲିଷ୍ଟ-ଏ କ୍ରିକେଟ୍ରେ ୧୦୩ ବଲ୍ରେ ଦ୍ୱିଶତକ ହାସଲ କରିଥିଲେ। କିନ୍ତୁ ବୈଭବ ମାତ୍ର ୫୨ ବଲ୍ରେ ଏହି ସଫଳତା ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।
ସେହିପରି ଗୋଟିଏ ଇନିଂସରେ ୨୮ଟି ଛକା ମାରି ସେ ପ୍ରଫେସନାଲ୍ କ୍ରିକେଟ୍ରେ ନୂଆ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ୨୦୧୮ରେ ଡାର୍ସି ସର୍ଟ ଗୋଟିଏ ଲିଷ୍ଟ-ଏ ଇନିଂସରେ ୨୩ଟି ଛକା ମାରି ରେକର୍ଡ କରିଥିଲେ। ଏବେ ବୈଭବ ସେହି ରେକର୍ଡକୁ ପଛରେ ପକାଇ ଦେଇଛନ୍ତି।
ALSO READ: Today Horoscope: ଆଜି ଏହି ରାଶିଙ୍କ ଭାଗ୍ୟ ଚମକିବ! ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଲାଭର ଯୋଗ
ବୈଭବଙ୍କ ବିସ୍ଫୋରକ ଇନିଂସରେ ଭାରତର ବଡ଼ ବିଜୟ:
ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ର ସେମିଫାଇନାଲ୍ରେ ପହଞ୍ଚିବା ପାଇଁ ଭାରତୀୟ ଦଳକୁ ୟୁଏଇ ବିପକ୍ଷରେ ବିଜୟ ହାସଲ କରିବା ଜରୁରୀ ଥିଲା। ପ୍ରଥମେ ବ୍ୟାଟିଂ କରି ୟୁଏଇ ୮ ୱିକେଟ୍ ହରାଇ ୨୪୯ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ହରପ୍ରୀତ ଶତକୀୟ ଇନିଂସ ଖେଳିଥିଲେ।
ଜବାବରେ ବୈଭବ ସୂର୍ଯ୍ୟବଂଶୀଙ୍କ ଧମାକାଦାର ଆରମ୍ଭ ବଳରେ ଭାରତ ମାତ୍ର ୧୪.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଅଧିନାୟକ ରିଙ୍କୁ ସିଂହ ଛକା ମାରି ଦଳକୁ ଜବରଦସ୍ତ ବିଜୟ ଦେଇଥିଲେ। ବୈଭବଙ୍କ ଏହି ଐତିହାସିକ ପାଳି ଭାରତୀୟ କ୍ରିକେଟ୍ରେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତର ଆଉ ଏକ ଝଲକ ଦେଖାଇଛି।