Wage Hike: କେନ୍ଦ୍ର ସରକାରଙ୍କ ଅଧିନରେ ସମସ୍ତ ପ୍ରତିଷ୍ଠାନ ରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଞ୍ଜୁରି ହାର ସଂଶୋଧନ ହୋଇଛି। ଅକ୍ଟୋବର ୧ ତାରିଖ ଠାରୁ ଏହି ସଂଶୋଧିତ ମଜୁରୀ ଲାଗୁ ହୋଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବର ସ୍ଥିତ କେନ୍ଦ୍ରୀୟ ଉପମୁକ୍ତ ଆୟୁକ୍ତ ଏନେଇ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅଧିକ ଖଣି, କୃଷି, ନିର୍ମାଣ ଆଦି ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ ଏହି ନୂତନ ମଜୁରୀ ହାର ଲାଗୁ ହେବ। ଜାରି ହୋଇଥିବା ନୂତନ ମଜୁରୀ ତାଲିକା ଅନୁଯାୟୀ, ଭୁବନେଶ୍ବର, କଟକ, ରାଉରକେଲା କୁ 'ବି ଅଞ୍ଚଳ' ଏବଂ ରାଜ୍ୟର ଅନ୍ୟ ସ୍ଥାନ ଗୁଡିକୁ ସି-ଅଞ୍ଚଳ ଦର୍ଶା ଯାଇଛି।
ଏହି ବର୍ଗୀକରଣ ଅନୁଯାୟୀ ମଜୁରୀ ହାର ଭିନ୍ନ ଭିନ୍ନ ରହିଛି। ଏହି କ୍ରମରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି 'ବି'ଅଞ୍ଚଳରେ ୪୩୭ ଟଙ୍କାରୁ ବୃଦ୍ଧି ପାଇ ୭୦୪ ଟଙ୍କା ଏବଂ 'ସି 'ଅଞ୍ଚଳରେ ଏହା ୩୫୦ ରୁ ୫୬୫ ଟଙ୍କାକୁ ବଢିଛି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ଏହା ଯଥାକ୍ରମେ ୯୪୪ ରୁ ୭୪୯ ଟଙ୍କା ଏବଂ ୪୧୦ ରୁ ୬୬୨ ଟଙ୍କା ହୋଇଛି। ବି ଅଞ୍ଚଳର କୁଶଳୀ ଶ୍ରମିକଙ୍କ ପାଇଁ ୫୭୯ ରୁ ୯୩୩ ଟଙ୍କା ଓ 'ସି'ଅଞ୍ଚଳ ପାଇଁ ୪୯୪ ରୁ ୭୯୪ ଟଙ୍କା ନିର୍ଦ୍ଧାରିତ ହୋଇଛି। ଅତି କୁଶଳୀ ଶ୍ରମିକଙ୍କ ପାଇଁ ଏହା ଯଥାକ୍ରମେ ୬୩୭ ରୁ ୧୦୨୪ ଟଙ୍କା ଏବଂ ୫୭୯ ରୁ ବୃଦ୍ଧି ପାଇ ୯୩୩ ଟଙ୍କା ଧାର୍ଯ୍ୟ କରାଯାଇଛି।
ସେହିପରି ଲୋଡିଂ , ଅନଲୋଡିଂ ଓ ସଫେଇ କାର୍ଯ୍ୟ ରେ ନିୟୋଜିତ ଶ୍ରମିକଙ୍କ ପାଇଁ 'ବି' ଅଞ୍ଚଳରେ ଦୈନିକ ୭୦୪ ଟଙ୍କା ଓ 'ସି' ଅଞ୍ଚଳରେ ୫୬୫ ଟଙ୍କା ମଜୁରୀ ଉଲ୍ଲେଖ ରହିଛି। ଅସ୍ତ୍ରବିହିନ ବାହିନୀ ସୁରକ୍ଷା କର୍ମୀଙ୍କ ଲାଗି ଏହା ଯଥା କ୍ରମେ ୯୩୩ ଓ ୭୯୪ ଟଙ୍କା ଏବଂ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ପାଇଁ ଦୈନିକ ମଜୁରୀ ୧,୦୨୪ ଟଙ୍କା ଓ ୯୩୩ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ କୃଷି କ୍ଷେତ୍ର ଶ୍ରମିକଙ୍କ ଦୈନିକ ମଜୁରୀ ମଧ୍ୟ ଅଞ୍ଚଳ ଓ ଦକ୍ଷତା ଅନୁଯାୟୀ ନିର୍ଦ୍ଧାରିତ ହୋଇଛି।
'ବି' ଅଞ୍ଚଳରେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ୪୯୧ ଟଙ୍କା ଓ ସି ଅଞ୍ଚଳରେ ୪୮୬ ଟଙ୍କା ରହିଛି। ଏହିକ୍ରମରେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ୫୩୯ ଟଙ୍କା ଏବଂ ୪୯୬ ଟଙ୍କା, କୁଶଳୀ ଶ୍ରମିକଙ୍କ ଲାଗି ୫୮୭ ଏବଂ ୫୩୮ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ଲାଗି ୬୫୫ ଏବଂ ୫୮୭ ଟଙ୍କା ଦୈନିକ ମଜୁରୀ ନିର୍ଦ୍ଧାରିତ ହୋଇଛି। ଅନ୍ୟପକ୍ଷରେ ଖଣି କ୍ଷେତ୍ରରେ ଭୂପୃଷ୍ଠ ଉପରେ ଓ ଭୁ-ପୃଷ୍ଠ ତଳେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଭିନ୍ନ ମଜୁରୀ ଧାର୍ଯ୍ୟ କରାଯାଇଛି।