Cyclone Akvan: ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ‘ଆକଭନ୍’କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ସୁରକ୍ଷା ଓ ସ୍ଥାନାନ୍ତର ପ୍ରକ୍ରିୟାକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ। ବିଶେଷକରି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଉଛି। ଏହି ଅଭିଯାନରେ ନିଜେ ସାମିଲ ହୋଇ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ଓ ଏସ୍ପି ଅଙ୍କିତ କୁମାର ବର୍ମା।
ଏହି ସମୟରେ ଜଣେ ୮୫ ବର୍ଷୀୟ ବୃଦ୍ଧ ଓ ଜଣେ ୭୦ ବର୍ଷୀୟ ବୃଦ୍ଧା ମହିଳାଙ୍କୁ ଜିଲ୍ଲାପାଳ ଓ ଏସ୍ପି ନିଜେ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି। ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରତି ପ୍ରଶାସନର ଏହି ସମ୍ବେଦନଶୀଳତା ଓ ଦାୟିତ୍ୱବୋଧ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ବାତ୍ୟା ମୁକାବିଲାରେ ଜଗତସିଂହପୁର ପ୍ରଶାସନର ତତ୍ପରତା, ବୃଦ୍ଧବୃଦ୍ଧାଙ୍କ ସୁରକ୍ଷା ପାଇଁ ଆଗେଇ ଆସିଲେ ଜିଲ୍ଲାପାଳ #CycloneAkvan #jagatsinghpur https://t.co/A5haWBVnkr
— ZEE Odisha News (@ZeeOdisha) November 19, 2026
ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ଜେ. ସୋନାଲ ଓ ଏସ୍ପି ଅଙ୍କିତ କୁମାର ବର୍ମା ବିଭିନ୍ନ ଅଞ୍ଚଳରେ ପହଞ୍ଚି ସ୍ଥାନାନ୍ତର କାର୍ଯ୍ୟର ସିଧାସଳଖ ତଦାରଖ କରୁଛନ୍ତି। ବିଶେଷକରି ବୟସ୍କ ବ୍ୟକ୍ତି, ମହିଳା, ଶିଶୁ ଓ ଅନ୍ୟ ଦୁର୍ବଳ ବର୍ଗର ଲୋକଙ୍କୁ ପ୍ରାଥମିକତା ଦିଆଯାଉଛି।
ପ୍ରଶାସନର ଲକ୍ଷ୍ୟ ହେଉଛି ‘ଜିରୋ କାଜୁଆଲିଟି’ ବା ଶୂନ୍ୟ ଜୀବନହାନି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ହୋଇଥିବାରୁ କାହାରି ଜୀବନ ଯେପରି ବିପଦରେ ନପଡ଼େ, ସେଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା କରାଯାଉଛି।
ଜଗତସିଂହପୁର ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବିପଦ ସମୟରେ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଆଶ୍ୱାସନା ଦିଆଯାଇଛି। ଏଥିସହ ସମସ୍ତ ଜନସାଧାରଣଙ୍କୁ ପ୍ରଶାସନକୁ ସହଯୋଗ କରିବା, ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବା ଏବଂ ବିଳମ୍ବ ନକରି ନିର୍ଦ୍ଦିଷ୍ଟ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ଜିଲ୍ଲାପାଳ ଓ ଏସ୍ପି ନିବେଦନ କରିଛନ୍ତି।