୬ ମାସ ମଧ୍ୟରେ ୧୬ ଜଣଙ୍କ ଘରୁ କଳା କନା ବୁଲାଇଥିଲେ, ଶେଷରେ ଧରାପଡିଲେ
ସେମାନଙ୍କ ନିକଟରୁ ୭୮ଟି ସୁନା ମୁଦି, ଆଠଟି ସୁନା ଚେନ, ଗୋଟିଏ କାନ ଫୁଲ ସହିତ ୩୮ ହଜାର ନଗଦ ଟଙ୍କା ମଧ୍ଯ ଜବତ କରିଛି ପୋଲିସ ।
ଜଗତସିଂହପୁର: (ନାରାୟଣ ବେହେରା) ଗତ କିଛିଦିନ ହେବ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପୋଲିସର ନିଦ ହଜାଇ ଦେଇଥିବା ଏକ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କୁଜଙ୍ଗ ପୋଲିସ। ଦିନରେ ଛେଳି ଓ ଘୁଷୁରୀ ଚରାଉଥିଲେ ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଟଙ୍କା ଲୁଟ୍। କୁଜଙ୍ଗ ପୋଲିସର ନିଦ ହଜାଇ ଦେଇଥିଲେ କିଛି ଲୁଟେରା । ଏପରିକି ସ୍ଥାନୀୟ ଲୋକଙ୍କ ସହିତ ରଖିଥିଲେ ଭଲ ସମ୍ପର୍କ, ଯେପରିକି ସେମାନଙ୍କ ଉପରେ କୌଣସି ଘଟଣାରେ ସାଧାରଣ ଲୋକଙ୍କ ସନ୍ଦେହ ହେବନାହିଁ ସେଥିପାଇଁ ସତର୍କତା ଅବଲମ୍ବନ କରି ଚାଲୁଥିଲେ।
ଗତ ୬ ମାସ ମଧ୍ୟରେ ୧୬ ଜଣଙ୍କ ଘରୁ କଳା କନା ବୁଲାଇ ଦେଇଥିଲେ ଏହି ଚୋର ଗ୍ୟାଙ୍ଗ । କୁନା ଦାସ, ବିଦେଶୀ ଦାସ, ଇନ୍ଦ ଦାସ , ବର୍ଷା ଦାସ ଓ ବିଜୟ ଦାସଙ୍କ ସମେତ ଏମାନଙ୍କ ନିକଟରୁ ଚୋରି ସମାଗ୍ରୀ କିଣି ଥିବା ଅଭିଯୋଗରେ ସୁନା ବ୍ୟବସାୟୀ କାଶୀନାଥ ସାମଲଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୭୮ଟି ସୁନା ମୁଦି, ଆଠଟି ସୁନା ଚେନ, ଗୋଟିଏ କାନ ଫୁଲ ସହିତ ୩୮ ହଜାର ନଗଦ ଟଙ୍କା ମଧ୍ଯ ଜବତ କରିଛି ପୋଲିସ । ଏମାନେ ଛେଳି ଚରାଇବା ଓ ଘୁଷୁରୀ ଜଗିବା ଅଭିନୟରେ ସିଦ୍ଧ ହସ୍ତ ଥିବାବେଳେ ଏମାନଙ୍କୁ ପୋଲିସ ଜାଣିବା ପାଇଁ ନାକେଦମ ହୋଇ ପଡିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଚୋରି ଗ୍ୟାଙ୍ଗର ସମସ୍ତ ସଦସ୍ୟ କେନ୍ଦ୍ରାପଡ଼ା ଅଞ୍ଚଳର ଏବଂ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁ କେସ୍ ମଧ୍ୟ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ଏସଡିପିଓ ଅଜୟ କୁମାର ଦାସ ପ୍ରକାଶ କରିଛନ୍ତି।
Also Read- MV 'ବିଶ୍ୱ ଉଦୟ' ନାମକ ଜାହାଜକୁ ଉଦ୍ଧାର କଲେ ଦୁଇଟି ଟଗ୍ ବୋଟ୍