ଭୁବନେଶ୍ୱର: ଗତଥର ଭଳି ଏଥର ବଡ଼ ବନ୍ୟା ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ । ସୂଚନା ଅନୁଯାୟୀ, ପାତ୍ରପୁରରେ ସର୍ବାଧିକ ୨୦୯ ମିମି ବର୍ଷା ରେକର୍ଡ ହୋଇଛି । ଗଞ୍ଜାମକୁ ବାଦ୍ ଦେଲେ ଅନ୍ୟ କେଉଁଠି ଅଧିକ ବର୍ଷା ହୋଇନାହିଁ । ଗଞ୍ଜାମରେ ବର୍ଷା ଯୋଗୁଁ ଋଷିକୂଲ୍ୟା ଓ ବାହୁଦା ଜଳସ୍ତର ବଢ଼ିଛି । ଜଳସ୍ତର ବୃଦ୍ଧି ପାଇଥିଲେ ବି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ସବୁ ପାଣି ସୁରକ୍ଷିତ ଭାବେ ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ତେଣୁ ଗତଥର ଭଳି ବଡ଼ ବନ୍ୟା ସୃଷ୍ଟି ହେବନି ବୋଲି ଆକଳନ କରାଯାଉଛି । ଡହରେ ୪୪%, ବାଘୁଆରେ ୭୦%, ଘୋଡ଼ାହାଡ଼ରେ ୫୮% ପାଣି ଅଛି । ବାଘଲଟୀରେ ୬୦%, ହରଭଙ୍ଗୀରେ ୫୪% ପାଣି ଅଛି । ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ଜଳପ୍ରବାହ ଉପରେ ନଜର ରଖିଛୁ, ପ୍ରାୟତଃ ଗେଟ୍ ଖୋଲିବାକୁ ପଡ଼ିବନି । ଆଜିର ବର୍ଷା ଉପରେ ପରବର୍ତ୍ତୀ ପଦକ୍ଷେପ ନିର୍ଭର କରୁଛି । କାଲି ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟରେ ଥିବାରୁ ଅଧିକ ବନ୍ୟା ହେବନି ।
ଅନ୍ୟପଟେ, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିୟନ୍ତ୍ରଣ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା 'ଅକ୍ଵାନ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଅନୁଧ୍ୟାନ କରିବା ସହ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ ।
ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିଲେ ମଧ୍ୟ ସତର୍କ ରହିବାକୁ ହେବ । ଆଜି ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଥିବାରୁ ସତର୍କ ରହିବାକୁ ହେବ । ପାତ୍ରପୁରରେ ସର୍ବାଧିକ, ହିଞ୍ଜିଳିକାଟୁରେ ୨ୟ ସର୍ବାଧିକ ବର୍ଷା ହୋଇଛି । ଭୂସ୍ଖଳନ ଆଶଙ୍କା ରହିଛି, ପ୍ରଶାସନ ନଜର ରଖିଛି । ବିଭିନ୍ନ ଡ୍ୟାମ୍ ଓ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । କାଲି ପର୍ଯ୍ୟନ୍ତ ବାତ୍ୟା ଆଶ୍ରୟ ସ୍ଥଳ ଖୋଲା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଏବେ ପ୍ରାୟ ୧୦ ହଜାର ୧୦ ଜଣଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି । ଗଞ୍ଜାମରେ ୧,୫୪,୨୯୦, କେନ୍ଦ୍ରାପଡ଼ାରେ ୫୧,୯୫୬ ଜଣ, ପୁରୀରେ ୪୦,୨୯୫ ଜଣ, ଗଜପତିରେ ୨୮,୬୯୩ ଲୋକ, ଖୋର୍ଦ୍ଧା ଜିଲ୍ଲାରୁ ୨୩,୦୬୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଏଥିସହ ୪,୪୭୦ ଗର୍ଭବତୀଙ୍କୁ ଡାକ୍ତରଖାନା ଓ ମା' ଗୃହକୁ ସ୍ଥାନାନ୍ତର କରାଯାଇଛି । ଏହି ସମୟ ମଧ୍ୟରେ ୧,୪୫0 ଶିଶୁ ଜନ୍ମଗ୍ରହଣ କରିଛନ୍ତି । ଉଭୟ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି ।
ପୋଲସରାରେ ମା’ତାରାତାରିଣୀ ପୀଠ ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ ହୋଇଛି । ରାସ୍ତା ଉପରେ ଗଛ ଓ ବଡ଼ ବଡ଼ ପଥର ପଡିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି । ପାହାଡ଼ ରାସ୍ତା ସିଲ୍ କରି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ ।