ପୁରୀ: ଆଜି ଶ୍ରୀକ୍ଷେତ୍ରରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଖଲି ପତ୍ରରେ ଅବଢା, ଡାଲି, ଡାଲେମା, ବେସର ମହୁର ବିକ୍ରି ହେଉଛି ଉତ୍ତର ଦ୍ଵାରରେ । କିନ୍ତୁ ଏ ଅବସ୍ଥାର ମୁଖ୍ୟ କାରଣ ହେଉଛି ସାଧାରଣ ଭକ୍ତଟିଏ ଯାହାର କେବଳ ଅବଢା ଆବଶ୍ୟକ ରହୁଛି ସେ ମନ୍ଦିର ଭିତରେ ପ୍ରବେଶ କରିବା ପାଇଁ ଘଣ୍ଟା ଘଣ୍ଟା ଲାଗୁଛି ତେଣୁ ସେ ଖୋଜୁଛି ସହଜ ବାଟ। ବାଧ୍ୟ ହୋଇ ଉତ୍ତର ଦ୍ଵାରରେ ଖଲିପତ୍ରରେ ଭକ୍ତମାନେ କିଣୁଛନ୍ତି ଅବଢା । ଶ୍ରୀମନ୍ଦିର ପ୍ରବେଶ ଏତେ କଟକଣା ହେଲାଣି ଯେ, ଅବଢ଼ା ଟିକକ ପାଇଁ ମନ୍ଦିରକୁ ପ୍ରବେଶ କରିବା ସମ୍ଭବ ହେଉନାହିଁ। ପୂର୍ବରୁ ଉତ୍ତର ଦ୍ୱାର ଦେଇ ଅବଢ଼ା ଆଣିବାକୁ ଯାଉଥିଲେ ଭକ୍ତ। ହେଲେ ଆଉ ସେଭଳି ସୁଯୋଗ ନାହିଁ ।
ଅନ୍ୟପଟେ ଉତ୍ତର ଦ୍ୱାର ନିକଟରେ ଅବଢା ବିକ୍ରି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ କହିଛନ୍ତି ଯେ, ଶ୍ରୀମନ୍ଦିର ପରମ୍ପରାକୁ ଭଙ୍ଗ କରିବାକୁ ଦିଆଯିବନାହିଁ । ସୁଆର ମହାସୁଆର ନିଯୋଗ ସହ ଜିଲ୍ଲାପାଳଙ୍କୁ ଆଲୋଚନା ପାଇଁ କହିଛନ୍ତି ମୁଖ୍ୟ ପ୍ରଶାସକ । ଏହାକୁ ଗୁରୁତର ସହ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
ଜିଲ୍ଲାପାଳ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଘଟଣାର ତଦନ୍ତ ଆରମ୍ଭ ହୋଇଛି, ଯିଏ ବିକିଥିବେ ଆକ୍ସନ ହେବ । ମହାପ୍ରସାଦ କହି ଯଦି କେହି ଠକେଇ କରିଥିବେ ତେବେ ମଧ୍ୟ ଆକ୍ସନ ନିଆଯିବ । ବିନା ଅନୁମତିରେ ଆନନ୍ଦବଜାର ବାହାରେ ମହାପ୍ରସାଦ ବିକ୍ରି ମନା ବୋଲି ଜିଲ୍ଲାପାଳ କହିଛନ୍ତି ।