Cyclone Alert: ବାତ୍ୟା ପାଇଁ ରେଡ ଆଲର୍ଟ ଜାରି ପରେ ଜନଶୂନ୍ୟ ପୁରୀ ସମୁଦ୍ରକୂଳ
ବାତ୍ୟା 'ଆକୱାନ' ପୁରୀରେ ଲ୍ୟାଣ୍ଡଫଲ କରିବା ନେଇ ଆଇଏମଡି ସୂଚନାକୁ ଭିତ୍ତିକରି ବିପଦସଙ୍କୁଳ ଅଞ୍ଚଳ, ଖାଲୁଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି।
ପୁରୀ: (ସଞ୍ଜୟ କୁମାର ମହାପାତ୍ର) ବାତ୍ୟା 'ଆକୱାନ' ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି କରାଯାଇଛି। ନଭେମ୍ୱର ୧୯ରୁ ୨୧ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ବାତ୍ୟା 'ଆକୱାନ' ପୁରୀରେ ଲ୍ୟାଣ୍ଡଫଲ କରିବା ନେଇ ଆଇଏମଡି ସୂଚନାକୁ ଭିତ୍ତିକରି ବିପଦସଙ୍କୁଳ ଅଞ୍ଚଳ, ଖାଲୁଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି। ଦୂର୍ଗମ ଅଞ୍ଚଳର ଲୋକଙ୍କୁ ଇଭାକୁଏଟ କରିବା ପାଇଁ ସ୍ୱତନ୍ତ୍ର ପ୍ଲାନ୍ ପ୍ରସ୍ତୁତ ହୋଇଛି। ସମସ୍ତ ଆଶ୍ରୟସ୍ଥଳୀ ଓ ବିକଳ୍ପ ଆଶ୍ରୟସ୍ଥଳୀ ଗୁଡ଼ିକର ଯାଞ୍ଚ କରାଯାଇ ସେଠାରେ ଆଲୋକ, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସ୍ୱେଚ୍ଛାସେବୀ, ପଞ୍ଚାୟତ ନିର୍ବାଚିତ ପ୍ରତିନିଧିମାନଙ୍କୁ ଏହି କାର୍ଯ୍ୟରେ ସାମିଲ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବାତ୍ୟା ଓ ଅତ୍ୟଧିକ ବର୍ଷା ଆଶଙ୍କା ଯୋଗୁଁ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ବ୍ଯବସ୍ଥା ବନ୍ଦ ରହିବ ଓ ନିକଟସ୍ଥ ଶରଧାବାଲିରେ ମଧ୍ୟ ପ୍ରବେଶ ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ହୋଟେଲ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ପର୍ଯ୍ୟଟକମାନଙ୍କୁ ହୋଟେଲ ଛାଡ଼ିବାକୁ ପରାମର୍ଶ ଦିଆଯିବ ଏବଂ ବାତ୍ୟା ସମୟରେ ନୂତନ ପର୍ଯ୍ୟଟକମାନେ ଯେପରି ପୁରୀକୁ ନ ଆସନ୍ତି ସେନେଇ ସତର୍କ କରାଯିବ। ସୁରକ୍ଷା ଦୃଷ୍ଟିରୁ ୧୯ ଓ ୨୦ ନଭେମ୍ବର ପାଇଁ ଚିଲିକାରେ ସମସ୍ତ ନୌକା ଓ ଫେରୀ ସେବା ସ୍ଥଗିତ ରଖାଯାଇଛି। ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀ ମାନଙ୍କୁ ଫେରେଇ ଅଣାଯାଇଛି।
ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ପାଇଁ ସାପକାମୁଡ଼ା ପ୍ରତିରୋଧକ ଔଷଧ ପ୍ରସ୍ତୁତ ରଖାଯିବା ସହ ଆସନ୍ନ ପ୍ରସବା ମହିଳାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱତନ୍ତ୍ର ଯତ୍ନ ନିଆଯିବ। ୩ଟି ଓଡ୍ରାଫ ଟିମ୍ ଓ ୨ ଟି ଏନଡିଆରଏଫ ଟିମ୍ ପୁରୀ ଜିଲ୍ଲା ପାଇଁ ମୁତୟନ କରାଯାଇଛି। ବାତ୍ୟା ପରବର୍ତ୍ତୀ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ ସଜାଗ ରହିବାକୁ କୁହାଯାଇଛି। ରାସ୍ତା ଉପରେ ଗଛ ପଡ଼ିଲେ କିମ୍ବା ଅନ୍ୟାନ୍ୟ ବାଧା ଉପୁଜିଲେ ତୁରନ୍ତ ତାହାକୁ ହଟାଇବା ପାଇଁ ବିଡ଼ିଓ ମାନଙ୍କୁ ଜେସିବି ଓ ଟ୍ରାକ୍ଟର ଆଦିର ତଥ୍ୟ ସଂଗ୍ରହ କରି ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଜିଲ୍ଲା ଓ ବ୍ଲକସ୍ତରରେ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରାଯାଇଛି, ଯାହାକି ୨୪ ଘଣ୍ଟା କାମ କରିବ। ସେପଟେ ସାମ୍ଭାବ୍ୟ ବାତ୍ୟାର ପ୍ରଭାବରେ ପୁରୀ ସମୁଦ୍ର ଅଶାନ୍ତ ରହିଛି। ଏହାକୁ ଦୃଷ୍ଟିରେ ରଖି ସମୁଦ୍ର ବେଳାଭୂମିରେ ରେଡ ଆଲର୍ଟ ଜାରି କରାଯାଇଛି। ସମୁଦ୍ରକୂଳ ସମ୍ପୂର୍ଣ୍ଣ ଖାଁ ଖାଁ ରହିଛି। ଜନ ଶୂନ୍ୟ ହୋଇପଡ଼ିଛି ସମୁଦ୍ର ବେଳାଭୂମି। ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବେଳାଭୂମିରେ ବିଚ୍ ପେଟ୍ରୋଲିଂ ଜାରି ରହିଛି।
Also Read- CRFM ଯୋଜନାରେ ସରକାରୀ ଅର୍ଥ ଆତ୍ମସାତ, ୨ ବରିଷ୍ଠ କୃଷି ଅଧିକାରୀ ଗିରଫ