ବାଲେଶ୍ୱର: ଓଡ଼ିଶା ଭିଜିଲାନ୍ସ ଦୁଇଜଣ ବରିଷ୍ଠ କୃଷି ଅଧିକାରୀ ଯଥା ପୂର୍ବତନ ଜିଲ୍ଲା କୃଷି ଅଧିକାରୀ ସରୋଜ କୁମାର ଗିରି ଏବଂ ବାଲେଶ୍ୱର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡାଙ୍କ ସମେତ ଏକ ଏନଜିଓ (‘ଶକ୍ତି ଶିଖା’)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରାଙ୍କୁ CRFM ଯୋଜନା ଅଧୀନରେ ୨୫.୦୩ ଲକ୍ଷରୁ ଅଧିକ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ କରିଛି।
ବାଲେଶ୍ୱର ଜିଲ୍ଲାରେ 'କମ୍ପ୍ରିହେନସିଭ୍ ରାଇସ୍ ଫ୍ୟାଲୋ ମ୍ୟାନେଜମେଣ୍ଟ' (CRFM) ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ସରକାରୀ ପାଣ୍ଠିର ଆତ୍ମସାତ ସମ୍ପର୍କିତ ଏକ ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ୱର ଜିଲ୍ଲାରେ CRFM ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୧୨ ହଜାର ହେକ୍ଟର ଜମିରେ ମୁଗ ଏବଂ ୩,୫୦୦ ହେକ୍ଟର ଜମିରେ ବିରି ଚାଷର ଲକ୍ଷ୍ୟଧାର୍ଯ୍ୟ ମଞ୍ଜୁର କରାଯାଇଥିଲା।
ବ୍ୟାପକ ତଦନ୍ତରୁ ଜଣାପଡ଼ିଛି ଯେ, ମୟୂରଭଞ୍ଜ ଜିଲ୍ଲା ବାରିପଦାର “ଶକ୍ତି ଶିଖା” ଡେଭଲପମେଣ୍ଟ ସୋସାଇଟିକୁ ବାଲେଶ୍ୱର ଜିଲ୍ଲା ପାଇଁ ପ୍ରଫେସନାଲ୍ ଏଜେନ୍ସି (PA) ଭାବରେ ମନୋନୀତ କରାଯାଇଥିଲା ଏବଂ ତଦନୁଯାୟୀ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଯୋଜନାର ନିୟମାବଳୀ ଅନୁଯାୟୀ, ହିତାଧିକାରୀ ଏବଂ କ୍ଲଷ୍ଟର ଚୟନରେ କ୍ଷେତ୍ର କର୍ମଚାରୀମାନଙ୍କୁ ସହାୟତା କରିବା, ସଚେତନତା ଅଭିଯାନ ଚଳାଇବା, ଚାଷୀମାନଙ୍କୁ ଏକତ୍ରିତ କରିବା ଏବଂ କୃଷି ସାମଗ୍ରୀର ବ୍ୟବହାର ତଦାରଖ କରିବା ଆଦି କାର୍ଯ୍ୟ ଏହି ଏନଜିଓକୁ ଦିଆଯାଇଥିଲା। ତେବେ ତଦନ୍ତ ଏବଂ କ୍ଷେତ୍ର ପରିଦର୍ଶନରୁ ଜଣାପଡ଼ିଛି ଯେ ଏନଜିଓ ଦ୍ୱାରା ଏପରି କୌଣସି କାର୍ଯ୍ୟ କରାଯାଇ ନାହିଁ। ସମସ୍ତ ୧୨ଟି ବ୍ଲକର ବ୍ଲକ କୃଷି ଅଧିକାରୀମାନେ ମଧ୍ୟ ଏନଜିଓ ଦ୍ୱାରା କୌଣସି କାର୍ଯ୍ୟ ହୋଇନଥିବା ନେଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ ସିଡିଏଓ (CDAO) ବିଶ୍ୱଜିତ ପଣ୍ଡା, ତତ୍କାଳୀନ ଏଡିଓ (ADO) ସରୋଜ କୁମାର ଗିରି ଏବଂ ଶକ୍ତି ଶିଖା ଡେଭଲପମେଣ୍ଟ ସୋସାଇଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା ମିଳିତ ଭାବେ ଷଡ଼ଯନ୍ତ୍ର କରି ଯୋଜନା ଅନୁଯାୟୀ ଆବଶ୍ୟକୀୟ କୌଣସି କ୍ଷେତ୍ର ପ୍ରମାଣପତ୍ର (Field Certification) ବିନା ମିଥ୍ୟା ବିଲ୍ (ଏନଜିଓ ଦ୍ୱାରା) ପ୍ରସ୍ତୁତ କରି ଏବଂ ତାହାକୁ ମଞ୍ଜୁର (୨ ଅଭିଯୁକ୍ତ ସରକାରୀ ଅଧିକାରୀଙ୍କ ଦ୍ୱାରା) କରି ସମୁଦାୟ ୨୫,୦୩,୨୪୯/- ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିଛନ୍ତି।
ଏହିପରି ଭାବରେ, ଅଭିଯୁକ୍ତ ସରକାରୀ କର୍ମଚାରୀମାନେ ନିଜ ପଦବୀର ଅପବ୍ୟବହାର କରି ଏବଂ ଘରୋଇ ଏନଜିଓ ସହ ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ହୋଇ ଅସାଧୁ ଉପାୟରେ ୨୫,୦୩,୨୪୯/- ଟଙ୍କାର ସରକାରୀ ଅର୍ଥ ଆତ୍ମସାତ କରିଛନ୍ତି, ଯାହାଫଳରେ ରାଜକୋଷର ଅନୁରୂପ କ୍ଷତି ଘଟିଛି।
ଏହି ଘଟଣାରେ ଅଭିଯୁକ୍ତ ତ୍ରୟୀ ଶ୍ରୀ ଗିରି, ଶ୍ରୀ ପଣ୍ଡା ଏବଂ ଶ୍ରୀ ବେହେରାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ (Prevention of Corruption Act) ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରା ଅନୁଯାୟୀ ବାଲେଶ୍ୱର ଭିଜିଲାନ୍ସ ଥାନା କେସ୍ ନଂ ୨୭/୨୦୨୬ ରୁଜୁ କରାଯାଇଛି। ତିନି ଅଭିଯୁକ୍ତଙ୍କୁ ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତକୁ ଚାଲାଣ କରାଯାଉଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।