ଜଗତସିଂହପୁର: (ନାରାୟଣ ବେହେରା) ଫେରିବାଲା ସାଜି ଚଳାଇଥିଲେ ଚୋରା କାରବାର। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଫେରିବାଲା ଭଡା ଘରେ ବ୍ୟବସାୟ ଚଳାଉ ଥିବା ବେଳେ ପାରାଦୀପ ଗଡ ଲକ ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଚୋରୀ ସାମଗ୍ରୀ ଜବତ କରିଛି ପୋଲିସ। ପାରାଦୀପରୁ ପଶ୍ଚିମବଙ୍ଗ ଦେଇ ବାଙ୍ଗଲାଦେଶ ଲମ୍ବିଛି ଚୋରା ମୋବାଇଲ, ଫ୍ୟାନ, ସାଇକେଲ, ମୋଟରସାଇକେଲର ଚେର । ଫେରିବାଲା ସାଜି ଚୋରି ନେଟୱର୍କ ଚଲାଉଥିଲେ ଓ୍ବେଷ୍ଟବେଙ୍ଗଲ ମେଦିନୀପୁର ଅଞ୍ଚଳର ଦୁଇ ବ୍ୟବସାୟୀ ।
ଚୋରା ସାମଗ୍ରୀକୁ ଖୋଲି ତାହାର ବିଭିନ୍ନ ଅଂଶକୁ ଅଲଗା ଅଲଗା କରି ଚାଲାଣ କରୁଥିଲେ ଏହି ବ୍ୟବସାୟୀ। ଏମାନଙ୍କୁ ସହଯୋଗ କରୁଥିଲେ ଲକ୍ ଥାନା ଅଞ୍ଚଳର କିଛି ଯୁବକ । ପାରାଦୀପ ଗଡ଼ ପଞ୍ଚାୟତ ନିମିଢି ଗ୍ରାମରେ ଥିବା ସିଦ୍ଧେଶ୍ୱର ମନ୍ଦିରର ହୁଣ୍ଡି ଭାଙ୍ଗି ଦାନ ଟଙ୍କା ଚୋରି ଘଟଣାର ତଦନ୍ତ ସମୟରେ ଲକ୍ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏହି ରାକେଟର ତିନିଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିପୁଳ ଚୋରି ସାମଗ୍ରୀ ଜବତ କରାଯାଇଛି । ସେଥିରେ ରହିଛି ୧୩୧ ଟି ମୋବାଇଲ ଫୋନ୍, ୨ ଟି ଟାବଲେଟ, ୯୭୦ ମୋବାଇଲ ବ୍ୟାଟେରୀ, ୧୨ ଟି କମ୍ପ୍ୟୁଟର ମଦର ବୋର୍ଡ, ବିପୁଳ ପରିମାଣର ମୋବାଇଲ ଡିସପ୍ଲେ, ଟେବୁଲ୍ ଫ୍ୟାନ, ସିଲିଂ ଫ୍ୟାନ, ୩ ଟି ମୋଟର ସାଇକେଲ, ୩ ଟା ସାଇକେଲ ସମେତ ୧,୩୪,୬୦୦ ଟଙ୍କା ଜବତ କରାଯାଇଛି । ତେବେ ମୋବାଇଲ ଓ ବିଭିନ୍ନ ଚୋରି ସାମଗ୍ରୀକୁ ଖୋଲି ପାର୍ଟ ପାର୍ଟ କରିବା ପାଇଁ ବ୍ୟବହୃତ ଯନ୍ତ୍ରାଂଶ ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ଝିମାଣୀ ଗ୍ରାମର ଧନେଶ୍ଵର ସେଠୀ, ଓ୍ବେଷ୍ଟବେଙ୍ଗଲ ମେଦିନୀପୁର ଅଞ୍ଚଳର ନସିରୁଳ୍ଲା ଖାନ୍, ଏସ କେ ଅସଦୁଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଲକ୍ ଥାନା ପରିସରରେ ପାରାଦ୍ଵୀପ ଅତିରିକ୍ତ ଏସପି ଦାୟୀତ୍ବରେ ଥିବା ଡିଏସପି ଆର କେ ପାତ୍ର, ଲକ୍ ଥାନା ଆଇଆଇସି ରଶ୍ମିରଞ୍ଜନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।