Odisha Assembly: ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଦେଖିବାକୁ ମିଳିଥିଲା । ଗୃହ ମଧ୍ୟରେ ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଗୃହରେ ବ୍ୟାନର୍ ଓ ପ୍ଲାକାର୍ଡ ଧରି ବିରୋଧୀ ହଙ୍ଗାମା କରିଥିଲେ । ବାତ୍ୟା ଅର୍ଣ୍ଣବ ପରେ ଉପୁଜିଥିବା ବନ୍ୟା ସ୍ଥିତିର ମୁକାବିଲାରେ ସରକାର ଫେଲ୍ ବୋଲି ବିଜେଡି ଅଭିଯୋଗ କରିଥିଲା । ସେହିପରି କୋଟିଆ ପ୍ରସଙ୍ଗରେ ଗୃହରେ କଂଗ୍ରେସ ସଦସ୍ୟମାନେ ପ୍ରତିବାଦ କରିଥିଲେ ।
ବିରୋଧୀଙ୍କ ହଟ୍ଟଗୋଳ ପାଇଁ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସମୟ ଶେଷ ପରେ ଆସନ୍ତା ସୋମବାର ୧୦ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।
ଆଜି ଗୃହରେ କଣ ପ୍ରଶ୍ନ ଏବଂ ଉତ୍ତର ଥିଲା ?
ଚଳିତ ନଭେମ୍ବର ମାସ ଶେଷରେ ମିଳିବ ବକେୟା ଭତ୍ତା । ଗୃହରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଉତ୍ତର ଦେଇଛନ୍ତି । ବୈଷୟିକ ତ୍ରୁଟି ଯୋଗୁଁ ଭତ୍ତା ପାଇନଥିବା ହିତାଧିକାରୀଙ୍କୁ ମିଳିବ । ୭ ହଜାର ୯୧୮ ହିତାଧିକାରୀ ଗତ ଏପ୍ରିଲ ମାସରୁ ଭତ୍ତା ପାଇନାହାନ୍ତି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ।
ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୦% ରୁ ଅଧିକ ଅଧ୍ୟାପକ ପଦବୀ ଖାଲି ରହିଛି । ଅତିଥି ଅଧ୍ୟାପକଙ୍କ ଭରସାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଚାଲିଛି । ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖି କହିଛନ୍ତି ଯେ, ମଞ୍ଜୁରୀପ୍ରାପ୍ତ ୨୪୪ ଅଧ୍ୟାପକ ପଦରୁ ୧୪୧ ଖାଲି ପଡ଼ିଛି । ବିଜନେସ ଆଡମିନିଷ୍ଟ୍ରେସନରେ ସର୍ବାଧିକ ୧୧ ପଦବୀ ଖାଲି ପଡିଛି । ମନୋବିଜ୍ଞାନରେ ୧୦, ବାଣିଜ୍ୟରେ ୯, ପଦାର୍ଥ ବିଜ୍ଞାନରେ ୮ ପଦବୀ ଖାଲି ରହିଛି । ୯୨୬ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ମଧ୍ୟରୁ ୬୯୮ଟି ପଦବୀ ଖାଲି ରହିଛି ।
ଅନ୍ୟପଟେ, କୋଟିଆ ପ୍ରସଙ୍ଗରେ କଂଗ୍ରେସ ନେତା ତାରା ବାହିନୀପତି ଏକ ଚରମ ଚେତାବନୀ ଦେଇଛନ୍ତି । କୋଟିଆ ପ୍ରସଙ୍ଗ ଆଲୋଚନା ନ ହେଲେ ଗୃହରେ ଆତ୍ମାହୂତି ଦେବି ବୋଲି ତାରା କହିଛନ୍ତି । କୋଟିଆକୁ ନେଇ ସ୍ୱତନ୍ତ୍ର ଆଲୋଚନା ହେବାକୁ ଦାବି କରିଛନ୍ତି ତାରା । ଓଡ଼ିଶାର ୫୦ ଗାଁକୁ ଆନ୍ଧ୍ର ମାଡ଼ି ବସିଲାଣି, କୋଟିଆ ଆମର ମା' ମାଟି । ରାଜସ୍ବ ମନ୍ତ୍ରୀ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ସରକାର ପଛଘୁଞ୍ଚା ଦେଉଛନ୍ତି ବୋଲି ତାରା ଅଭିଯୋଗ କରିଛନ୍ତି ।
ତାରା ବାହିନୀପତିଙ୍କ ଧମକ ନେଇ ବିଧାୟକ ସନ୍ତୋଷ ଖଟୁଆ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିଜେଡି ସରକାର ସମୟରେ ତାରା ଧମକ ଦେଇଥିଲେ ଭଲ ହୋଇଥାନ୍ତା । କୋଟିଆ ଅଂଚଳରୁ କଂଗ୍ରେସର ଅଧିକ ବିଧାୟକ ରହିଛନ୍ତି ବୋଲି ସନ୍ତୋଷ କହିଛନ୍ତି । ୫୦ ବର୍ଷ ଭିତରେ କଂଗ୍ରେସ କଣ କରିଛି ଚିଠା ଦିଅନ୍ତୁ । ଟ୍ରିପଲ ଇଞ୍ଜିନ୍ ସରକାରରେ କୋଟିଆ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଗମ୍ଭୀରତାର ସହ ଆଲୋଚନା କରିବା ଆବଶ୍ୟକ ବୋଲି ରୋକଠୋକ୍ ଭାବେ କହିଛନ୍ତି ସନ୍ତୋଷ ।